ଦୁଇମୁଠା ଖାଇବା ପାଇଁ ଡହଳବିକଳ ହେଉଛନ୍ତି ଆଫଗାନବାସୀ । ରାସ୍ତାକଡରେ ବିକ୍ରି କରୁଛନ୍ତି ଘରର ମୂଲ୍ୟବାନ ଜିନିଷ

Advertisment
ଦୁଇମୁଠା ଖାଇବା ପାଇଁ ଡହଳବିକଳ ହେଉଛନ୍ତି ଆଫଗାନବାସୀ । ରାସ୍ତାକଡରେ ବିକ୍ରି କରୁଛନ୍ତି ଘରର ମୂଲ୍ୟବାନ ଜିନିଷ

ସମ୍ପ୍ରତି ଘୋର ଆର୍ଥିକ ସଙ୍କଟ ପଡ଼ିଥିବା ଆଫଗାନିସ୍ତାନରେ ଲୋକେ କାମଧନ୍ଦା ହରାଇବା ସହ ଉତ୍କଟ ଦାରିଦ୍ର୍ୟ ତାଡ଼ନା ସହ୍ୟ ନ କରି ପାରି ଅର୍ଥ ପାଇଁ ଘରେ ଥିବା ମୂଲ୍ୟବାନ୍‌ ସାମଗ୍ରୀଗୁଡ଼ିକୁ ଆଣି କାବୁଲ୍‌ ସହରର ରାସ୍ତାଘାଟରେ ଶାଗମାଛ ଦରରେ ବିକ୍ରୟ କରୁଛନ୍ତି।

ପୂର୍ବରୁ ସରକାରୀ କିଂବା ବେସରକାରୀ କ୍ଷେତ୍ରରେ ଚାକିରି କରୁଥିବା ଆଫଗାନମାନେ ହଠାତ୍‌ କର୍ମସଂସ୍ଥାନ ହରାଇ ବସିଛନ୍ତି। ‘ଟୋଲୋ ନିଉଜ୍‌’ କରିଥିବା ରିପୋର୍ଟ ଅନୁସାରେ, ଆହାର ପାଇଁ ଘରେ ଥିବା ଜିନିଷପତ୍ର ସବୁକୁ ସ୍ବଳ୍ପ ମୂଲ୍ୟରେ ବିକ୍ରିୟ କରିବାକୁ ଯାଇ ସମ୍ପ୍ରତି ଆଫଗାନ୍‌ମାନେ କାବୁଲ୍‌ ସହରର ରାସ୍ତାଘାଟକୁ ‘ପୁରୁଣା ସାମଗ୍ରୀ ବିକ୍ରୟ ବଜାର’ କରିପକାଇଲେଣି।

ଲାଲ୍‌ ଗୁଲ୍‌ ନାମରେ କାବୁଲ୍‌ର ଜଣେ ଦୋକାନୀ ‘ଟୋଲୋ ନିଉଜ୍‌’କୁ କହିଛନ୍ତି, ଅଧାରୁ କମ୍‌ ଦରରେ ମୁଁ ମୋର ଜିନିଷପତ୍ର ସବୁ ବିକୁଛି। ୨୫,୦୦୦ ଆଫଗାନୀ ମୁଦ୍ରାରେ ଖରିଦ କରିଥିବା ଗୋଟାଏ ରେଫ୍ରିଜେରେଟର୍‌କୁ ୫୦୦୦ରେ ବିକ୍ରୟ କରିଛି। କ’ଣ ବା କରିଥାଆନ୍ତି? ମୋ ପିଲାଛୁଆଙ୍କ ପାଇଁ ରାତ୍ର ଭୋଜନ ଯେ ନିହାତି ଦରକାର।

କାବୁଲ୍‌ର ‘ଚମନ୍‌-ଏ-ହୋଜୋରି’କୁ ପଡ଼ିଥିବା ଏକ ରାସ୍ତାରେ କେତେକ ଲୋକ ୧ ଲକ୍ଷ ଆଫଗାନୀ ମୁଦ୍ରାର ସାମଗ୍ରୀକୁ ମାତ୍ର ୨୦ ହଜାରରେ ବିକ୍ରୟ କରୁଛନ୍ତି। ନଗଦ ଅର୍ଥ ଅନ୍ବେଷଣରେ ଆଫଗାନ୍‌ମାନେ ରାସ୍ତାଘାଟରେ ରେଫ୍ରିଜେରେଟର୍‌, ଟେଲିଭିଜନ୍‌ ସେଟ୍‌, ସୋଫା, ଆଲମାରି, ଆସବାବ୍‌ପତ୍ର ଏବଂ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଧାଡ଼ି କରି ରଖିଛନ୍ତି।

ମହମଦ୍‌ ଆଗା ନାମରେ ଆଫଗାନିସ୍ତାନର ଜଣେ ପୂର୍ବତନ ପୁଲିସ ଅଧିକାରୀ ଗତ ୧୦ ଦିନ ହେବ ରାସ୍ତାରେ ଜିନିଷପତ୍ର ବିକ୍ରିବଟା କରୁଛନ୍ତି। ‘ଟୋଲୋ ନିଉଜ୍‌’କୁ ସେ କହିଛନ୍ତି, ସେମାନେ ମତେ ଦରମା ଦେଲେ ନାହିଁ। ଏବେ ମୋର ଚାକିରି ନାହିଁ। ମୁଁ ଆଉ କ’ଣ ଥାଆନ୍ତି?

କାବୁଲ୍ ଅକ୍ତିଆର କରିବାର ମାସକ ପରେ ଉତ୍କଟ ସମସ୍ୟାର ସମ୍ମୁଖୀନ ହୋଇଥିବା ତାଲିବାନ୍‌ ତା’ର ସାମରିକ ବିଜୟକୁ ଗୋଟାଏ ଦକ୍ଷ ତଥା ସାର୍ଥକ ପ୍ରଶାସନ କରିବାକୁ ଉଦ୍ୟମ କରୁଛି। ତେଣେ, ଆଫଗାନିସ୍ତାନର ଏଭଳି ପରିସ୍ଥିତି ଦେଖି ଆଫଗାନ୍‌ବାସୀ ଖାଦ୍ୟ ପାଇଁ ଯଥେଷ୍ଟ ଟଙ୍କା ଯୋଗାଡ଼ କରିବା କିଂବା ଦେଶ ଛାଡ଼ି ଚାଲିଯିବାକୁ ସମ୍ବଳ ଯୋଗଡ଼ରେ ଲାଗିପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe