କାଲି କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ, ଆଉ ଆଜି ଏୟାରପୋର୍ଟରେ ଗହଳି : ଉଦ୍ଧାର କାର୍ଯ୍ୟରେ ପୁଣି ବିମାନ ଚାଲୁ ହେବା ପରେ ଜମୁଛି ବିରାଟ ଭିଡ

197

କନକ ବ୍ୟୁରୋ : କାଲି କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ, ଆଉ ଆଜି ଏୟାରପୋର୍ଟରେ ଗହଳି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ । ବିସ୍ଫୋରଣ ପରେ ବି ଜମିଛି ଲୋକଙ୍କ ଗହଳି । ଆଶ୍ୱର୍ଯ୍ୟଜନକ ଭାବେ ଏୟାରପୋର୍ଟ ବାହାରେ ଲୋକ ରୁଣ୍ଡ ହୋଇଛନ୍ତି । ହଜାର ହଜାର ଲୋକ ବିମାନ ବନ୍ଦର ବାହାରେ ଏକାଠି ହୋଇଛନ୍ତି । ବିସ୍ଫୋରଣ ପରେ ମଧ୍ୟ ଲୋକଙ୍କ ମଧ୍ୟରେ ଭୟ ନାହିଁ । ଆଫଗାନିସ୍ତାନ ଛାଡି ପଳାଇଯିବା ପାଇଁ ସମସ୍ତେ ବ୍ୟଗ୍ର ।

ସେଠାରେ ଭିଡ ଜମାଇବାର ଆଉ ଏକ ବଡ଼ କାରଣ ହେଉଛି ଯେ, ଆଜି ବିଭିନ୍ନ ଦେଶ ସେମାନଙ୍କ ବିମାନ କାବୁଲ ଏୟାରପୋର୍ଟ ଛାଡିବା ଆରମ୍ଭ କରିଥିଲା । ତେଣୁ ସେମାନଙ୍କୁ କାଳେ ସୁଯୋଗ ମିଳିଯିବ, ସେଥିପାଇଁ ବିମାନ ବନ୍ଦର ବାହାରେ ଭିଡ ଜମାଇଛନ୍ତି । ଏହି ଦୃଶ୍ୟକୁ ଦେଖିଲେ ହୁଏତ କେହି ବିଶ୍ୱାସ କରିପାରିବେ ନାହିଁ ଯେ ଏହି ସ୍ଥାନରେ ଗତକାଲି ବିରାଟ ବିସ୍ଫୋରଣ ହୋଇଥିଲା । ଏଥିରେ ୯୦ ଜଣ ଲୋକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସୈନିକ ମଧ୍ୟ ଅଛନ୍ତି । କିନ୍ତୁ ଲୋକଙ୍କ ଭିତରେ ଆଶା ବି ଅଛି କି କାଳେ କୌଣସି ବିମାନରେ ଦେଶ ଛାଡିବା ପାଇଁ ସେମାନଙ୍କୁ ସୁଯୋଗ ମିଳିଯିବ । ଏଥିରୁ ଅନୁମାନ କରିହେବ ଦେଶ ଛାଡିବା ପାଇଁ କେତେ ବ୍ୟଗ୍ର ଅଛନ୍ତି ଲୋକେ ।

ସେପଟେ ବ୍ରିଟେନ କହିଛି, ଯେ ସେମାନଙ୍କର ଉଦ୍ଧାର କାର୍ଯ୍ୟ ଶେଷ ହୋଇଯାଇଛି । ବ୍ରିଟେନର ଜଣେ ମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଛନ୍ତି, ଯେ ସେମାନେ ସମସ୍ତଙ୍କୁ ଉଦ୍ଧାର କରିପାରିଲେ ନାହିଁ । ସେପଟେ ଫ୍ରାନ୍ସ ମଧ୍ୟ ତାର ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା କହିଛନ୍ତି । ଅର୍ଥାତ୍ ଗୋଟିଏ ପରେ ଗୋଟିଏ ଦେଶ କାବୁଲରୁ ବିମାନରେ ଉଦ୍ଧାର କାର୍ଯ୍ୟ ବନ୍ଦ କରୁଥିବା ବେଳେ ଲୋକଙ୍କ ଆଶା କିନ୍ତୁ ରହିଛି, ସେମାନେ କିପରି ଦେଶ ଛାଡି ପଳାଇବେ । ଟ୍ୱିଟରରେ ବ୍ରିଟେନ, ଆମେରିକାକୁ ଅନେକ ଧୋକାବାଜ ବୋଲି କହୁଛନ୍ତି । କାରଣ ଏମାନେ ଯେଉଁ ଆଫଗାନୀ ଲୋକଙ୍କ ସହାୟତା ନେଇଥିଲେ ଏବେ ସେମାନଙ୍କ ହାତ ଛାଡି ଦେଇଛନ୍ତି ।