କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣ ଘଟଣା : ୯୦କୁ ବଢିଲା ମୃତ୍ୟୁ ସଂଖ୍ୟା, ୧୫୦ ଆହତ

ଆକ୍ରମଣର ଦୋଷ ମୁଣ୍ଡାଇଲା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ

152

କନକ ବ୍ୟୁରୋ : କାୁଲ ବିସ୍ଫୋରଣ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ବିବିସି ରିପୋର୍ଟ ଅନୁସାରେ ୯୦ ଜଣଙ୍କ ମୃତ୍ୟୁ, ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ଏହି ସିରିଜ ବିସ୍ଫୋରଣରେ ୧୩ଜଣ ଆମେରିକା ସେନା ନିହତ ହୋଇଛନ୍ତି । ତେବେ ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲା ଯେ, ମୃତ ଓ ଆହତ ହୋଇଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ ହେବା ଆଶଙ୍କା କରାଯାଉଛି । ପ୍ରକୃତରେ ମୃତ୍ୟୁ ସଂଖ୍ୟା କେତେ, ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏପଟେ ଆଇଏସଆଇଏସ ବା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ବିମାନବନ୍ଦର ଭିତରେ ବିଭିନ୍ନ ଦେଶ ପକ୍ଷରୁ ଏୟାରଲିଫ୍ଟ କରାଯାଉଥିବା ବେଳେ ଏୟାରପୋର୍ଟ ବାହାର ଗେଟ୍ ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ଯେଉଁଠି ଆଫଗାନ ଛାଡି ଯିବା ପାଇଁ ଅପେକ୍ଷା କରିଥିବା ଲୋକ ସେମାନଙ୍କ କାଗଜପତ୍ର ଚେକ୍ କରୁଥିଲେ । ସେହି ସ୍ଥାନରେ ହିଁ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏପରିକି ବିସ୍ଫୋରଣ ପରେ ଯେତେବେଳେ ଲୋକ ଇତଃସ୍ତତଃ ହୋଇ ଦୌଡିବାକୁ ଲାଗିଲେ, ସେତେବେଳେ ସେମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି ଆତଙ୍କବାଦୀ । ଏହା ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି କୁହାଯାଉଛି ।

ବିସ୍ଫୋରଣରେ ବହୁ ସଂଖ୍ୟାରେ ଲୋକ ମୃତାହତ ହୋଇଥିବା ଆଶଙ୍କା ରହିଛି । ଶତାଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପ୍ରତେକ ଦିନ କାବୁଲ ବିମାନବନ୍ଦରରେ ହଜାର ହଜାର ଲୋକ ଦେଶ ଛାଡ଼ିବା ପାଇଁ ଭିଡ଼ ଜମାଉଛନ୍ତି । ଗତକାଲି ବିମାନବନ୍ଦରରେ ଲୋକଙ୍କ ଭିଡ ଭିତରେ ବିସ୍ଫୋରଣ ହୋଇଛି । ଫଳରେ ଏତେ ଲୋକଙ୍କର ପ୍ରାଣହାନୀ ହୋଇଛି ।