କନକ ବ୍ୟୁରୋ : କବିସୂର୍ଯ୍ୟନଗର ବିଜେଡି ରାଜନୀତିରେ ରାଣୀଙ୍କ ମ୍ୟାଜିକ୍ । ଖଲ୍ଲିକୋଟ ରାଣୀ ତଥା ୧୦ ଥରର ବିଧାୟିକା ସୁଜ୍ଞାନ ଦେଓଙ୍କ ଗୁଡ୍ ବୁକ୍ରେ କିଏ ରହିବେ, ତାକୁ ନେଇ ଆରମ୍ଭ ହୋଇଛି ଛକାପଂଝା । ଅଗଷ୍ଟ ୫ରେ ରାଣୀଙ୍କ ଜନ୍ମଦିନ । ଏହାପୂର୍ବରୁ ରାଣୀଙ୍କ ୮୬ ତମ ଜନ୍ମ ଦିନ ପାଳନ ପାଇଁ ରକ୍ତଦାନ ଶିବିରର ଆୟୋଜନ କରୁଛନ୍ତି ବିଜେଡି ଟିକେଟ୍ ଆଶାୟୀ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ରାଣୀ ଫଟୋ ଲଗାଇ ରକ୍ତଦାନ ଶିବିର ହେଉଛି । ଆଉ ଏହି ଆୟୋଜନ ପଛରେ ୨୦୨୪ ସାଧାରଣ ନିର୍ବାଚନ ଟିକେଟ୍ ଆଶା ଥିବା ଚର୍ଚ୍ଚା ହେଉଛି ।

Advertisment

ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳିରେ ରାଣୀ ସୁଜ୍ଞାନ ଦେଓଙ୍କ ସ୍ୱତନ୍ତ୍ର ଭୋଟ ବ୍ୟାଙ୍କ ରହିଛି । ଯିଏ ରାଣୀଙ୍କ ସମର୍ଥକଙ୍କୁ ନିଜର କରିପାରିବେ ସେ ହିଁ ୨୦୨୪ରେ ବାଜିମାତ୍ କରିବେ ବୋଲି କୁହାଯାଏ । ରାଣୀ ଚେନ୍ନାଇରେ ଥିବା ବେଳେ ସେଠି ଆଶାୟୀଙ୍କ ଭିଡ ଜମୁଥିବା ବେଳେ ଏପଟେ କବିସୂର୍ଯ୍ୟନଗରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଚାଲିଛି । ବିଧାୟିକା ଲତିକା ପ୍ରଧାନଙ୍କ ଉପରେ ଅସନ୍ତୁଷ୍ଟ ଗୋଷ୍ଠୀ ରାଣୀଙ୍କୁ ଭେଟି ୨୦୨୪ରେ ନୂଆ ମୁହଁ ଦେବାକୁ ଦାବି କରୁଛନ୍ତି ବୋଲି କବିସୂର୍ଯ୍ୟନଗର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।

ଗୋଟିଏ ପଟେ ନେତାଙ୍କୁ ଭୁବନେଶ୍ୱର ଡାକି ବିଜେଡି ଘର ସଜାଡୁଥିବା ବେଳେ ଏଠି କିନ୍ତୁ ଆଶାୟୀଙ୍କ ସଂଖ୍ୟା ବଢୁଛି । ଲତିକା ପ୍ରଧାନ ବର୍ତ୍ତମାନର ବିଧାୟିକା ଥିବା ବେଳେ ଅନ୍ୟ ଆଶାୟୀ ରାଣୀଙ୍କ ପୋଷ୍ଟର ଲଗାଇ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ୨୦୨୪ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଅଗଷ୍ଟ ୫ରେ ରାଣୀଙ୍କ ଜନ୍ମଦିନ ଥିବାରୁ ରାଣୀ ସୁଜ୍ଞାନ ଦେଓଙ୍କ ନାଁରେ ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଆଶାୟୀ ।

ରାଣୀ ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା କାରଣରୁ ୨୦୧୯ ଠାରୁ ରାଜନୀତିରୁ ଠାରୁ ଦୂରେଇ ରହିଥିଲେ ମଧ୍ୟ ଏବେ ବି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ତାଙ୍କର ଦବଦବା ରହିଛି । ରାଣୀ ଚାହିଁଲେ ବିଜେଡି ଟିକେଟ ମିଳିବ ବୋଲି ଆଶା ରହିଛି । ତେବେ ଆଗକୁ ରାଣୀଙ୍କୁ ମନାଇ କିଏ ନେଉଛି ୨୦୨୪ ନିର୍ବାଚନ ପାଇଁ ବିଜେଡି ଟିକେଟ୍ ତାକୁ ହିଁ ଅପେକ୍ଷା ।