ଦିଲ୍ଲୀ ଅବକାରୀ ନୀତି ମାମଲାରେ ବଢିଲା କେ, କବିତାଙ୍କ ପାଇଁ ଅଡୁଆ । ଜେଲରେ ଜେରା ପରେ ଗିରଫ କଲା ସିବିଆଇ

145

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ କେ.କବିତାଙ୍କ ପାଇଁ ପୁଣି ଅଡୁଆ ବଢିଛି । ସମାନ ମାମଲାରେ ସିବିଆଇ ତାଙ୍କୁ ପୁଣିଥରେ ଗିରଫ କରିଛି । ତିହାଡ ଜେଲରେ କେ. କବିତାଙ୍କୁ ଜେରା କରିବା ପରେ ଆଜି ସିବିଆଇ ତାଙ୍କୁ ଗିରଫ କରିଛି ।

ମଙ୍ଗଳବାର ଦିନ କେ. କବିତାଙ୍କୁ ତିହାଡ ଜେଲରେ ସିବିଆଇ ଜେରା କରିଥିଲା । ଇଡି ଦ୍ୱାରା ଗିରଫ ହୋଇ କେ. କବିତା ଏବେ ତିହାର ଜେଲରେ ରହିଛନ୍ତି । ଅଭିଯୁକ୍ତ ବୁଚି ବାବୁଙ୍କ ଫୋନରୁ ଜବତ ହୋଇଥିବା ହ୍ୱାଟସଆପ୍ ଚାଟ୍ ଓ ଏକ ଜମି ଦୁର୍ନୀତି ମାମଲାରେ କବିତାଙ୍କୁ ଜେରା କରିବାକୁ ସିବିଆଇକୁ କୋର୍ଟ ଅନୁମତି ଦେଇଥିଲେ ।

ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ କନ୍ୟା କବିତାଙ୍କ ଉପରେ ସାଉଥ୍ ଗ୍ରୁପ ମୁଖ୍ୟ ବୋଲି ଅଭିଯୋଗ ହୋଇଥିଲା । ଅଭିଯୋଗ ରହିଛି କି ସାଉଥ୍ ଗ୍ରୁପ ଦିଲ୍ଲୀର ମଦ ଲାଇସେନ୍ସର ଏକ ବଡ ଭାଗ ପାଇବାକୁ ଦିଲ୍ଲୀ ସରକାରକୁ ୧୦୦ କୋଟି ଟଙ୍କାର ଲାଂଚ ଦେଇଥିଲା । ଏହି ମାମଲାରେ ଇଡି ମାର୍ଚ୍ଚ ୧୫ ତାରିଖରେ କେ. କବିତାଙ୍କୁ ଗିରଫ କରିଥିଲା ।