କନକ ବ୍ୟୁରୋ : ଚଳିତ ଆଇପିଏଲ ମହାନିଲାମୀରେ କାହାର ଭାଗ୍ୟ ଫିଟିଛି ତ ପୁଣି କାହାର ଭାଗ୍ୟ ପଲଟିଛି । ମହାନିଲାମୀର ଦ୍ୱିତୀୟ ଦିନରେ ଲିଆମ ଲିଭିଙ୍ଗଷ୍ଟୋନ, ଓଡିୟନ ସ୍ମିଥ, ଚେତନ ସାକରିଆ, ଶିଭମ ଦୁବେଙ୍କ ଭଳି ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ଅନ୍ୟପଟେ ଏମିତି ଅନେକ ଖେଳାଳୀ ରହିଛନ୍ତି ଯେଉଁମାନେ ଆଶା ଅନୁଯାୟୀ ଦରରେ ବିକ୍ରି ହୋଇନାହାନ୍ତି । ସେହିଭଳି ଜଣେ ଖେଳାଳୀ ହେଉଛନ୍ତି ଭାରତୀୟ ଅଲରାଉଣ୍ଡର କୃଷ୍ଣପା ଗୌତମ ।
କୃଷ୍ଣପା ଗୌତମଙ୍କୁ ଚଳିତଥର ଲକ୍ଷ୍ନୌ ସୁପର ଜାଏଣ୍ଟସ ୯୦ ଲକ୍ଷ ଟଙ୍କାରେ କିଣିଛି । କୃଷ୍ଣପାଙ୍କର ମାତ୍ର ୫୦ ଲକ୍ଷ ବେସ୍ ପ୍ରାଇସ ଥିବା ବେଳେ ମାତ୍ର ୪୦ ଲକ୍ଷ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି । ଆଉ ଏହା କୃଷ୍ଣପାଙ୍କୁ କୋଟିପତି ଖେଳାଳୀରୁ ଲକ୍ଷପତି କରିଛି । କାରଣ ଗତ ଆଇପିଏଲ ନିଲାମୀରେ କୃଷ୍ଣପାଙ୍କୁ ୯.୨୫ କୋଟି ଟଙ୍କାରେ କିଣିଥିଲା ଚେନ୍ନାଇ ସୁପର କିଙ୍ଗସ । ଅନକ୍ୟାପଡ ଖେଳାଳୀ ଭାବେ କୃଷ୍ଣପା ମଧ୍ୟ ଏତେ ଟଙ୍କାରେ ବିକ୍ରି ହୋଇ ରେକର୍ଡ କରିଥିଲେ । ସେତେବେଳେ ତାଙ୍କର ବେସ୍ ପ୍ରାଇସ ଥିଲା ମାତ୍ର ୨୦ ଲକ୍ଷ । ତେବେ ୯.୨୫ କୋଟିରେ କିଣା ହୋଇଥିଲେ ମଧ୍ୟ ଚେନ୍ନାଇ ପକ୍ଷରୁ ଗୋଟିଏ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିଲେ କୃଷ୍ଣପା । ଯାହାର ପ୍ରଭାବ ଚଳିତ ବର୍ଷ ଆଇପିଏଲ ମହାନିଲାମୀରେ ପଡିଥିବା କୁହାଯାଉଛି ।
ଲକ୍ଷ୍ନୌ ଟିମ୍ ଅନକ୍ୟାପଡ ଖେଳାଳୀ କୃଷ୍ଣପା ଗୌତମଙ୍କୁ ୯୦ ଲକ୍ଷ ଟଙ୍କା ଦେଇ କିଣିଥିବା ବେଳେ ଅଭେଶ ଖାନଙ୍କୁ ୧୦ କୋଟି ଟଙ୍କା ଦେଇ କିଣିଛି । ଆଉ ଅଭେଶ ଖାନ୍ ଅନକ୍ୟାପଡ ଖେଳାଳୀ ଭାବେ ସର୍ବାଧିକ ୧୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ଏବେ ସୁଦ୍ଧା କୃଷ୍ଣପା ୬୭ଟି ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୪୮ଟି ୱିକେଟ ଅକ୍ତିଆର କରିଛନ୍ତି । ଏହାସହ ୨ଟି ଅର୍ଦ୍ଧଶତକ ବଳରେ ୬୧୦ ରନ୍ କରିଛନ୍ତି । ସେହିଭଳି ଆଇପିଏଲରେ କେ.ଗୌତମ ଏଯାବତ ୨୪ଟି ମ୍ୟାଚ୍ ଖେଳିଥିବା ବେଳେ ୧୩ଟି ୱିକେଟ ସହ ୧୮୬ ରନ୍ କରିଛନ୍ତି ।