ତେଲେଙ୍ଗାନାରେ କଂଗ୍ରେସର ଖୁସି, କେସିଆର ଦୁଃଖୀ । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ‘ହାତ’ । ଭାଙ୍ଗିଯିବ କେ. ଚନ୍ଦ୍ରଶେଖରଙ୍କ ହାଟ୍ରିକ ସ୍ୱପ୍ନ!

145

କନକ ବ୍ୟୁରୋ: ଭାଙ୍ଗିବାକୁ ଯାଉଛି କେସିଆରଙ୍କ ହାଟ୍ରିକ ସ୍ୱପ୍ନ । ତେଲେଙ୍ଗାନାରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିଥିବା କେ ଚନ୍ଦ୍ରଶେଖର ରାଓଙ୍କ ସ୍ୱପ୍ନକୁ ଭାଙ୍ଗିରୁଜି ଚୁରମାର କରିଦେଇଛି କଂଗ୍ରେସ । ବର୍ତ୍ତମାନ ତେଲେଙ୍ଗାନାରୁ ଆସୁଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ, ଏଠି କଂଗ୍ରେସ କ୍ଷମତା ଅକ୍ତିଆର କରୁଥିବା ଦେଖିବାକୁ ମିଳୁଥିବାବେଳେ, କେସିଆରଙ୍କ କ୍ଷମତାଶୀନ ବିଆରଏସ୍ ବହୁ ପଛରେ ପଡିଯାଇଛି ।

ଦିନ ୧୧ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ କଂଗ୍ରେସ ତେଲେଙ୍ଗାନାରେ ୬୬ଟି ଆସନରେ ଆଗୁଆ ଥିବାବେଳେ, ବିଆରଏସ୍ ୪୨ଟି ଆସନରେ ଆଗୁଆ ରହିଛି । ସେହିପରି ତେଲେଙ୍ଗାନାରେ ବିଜେପି ମଧ୍ୟ ୭ଟି ଆସନରେ ଆଗୁଆ ରହିଛି । ତେବେ ତେଲେଙ୍ଗାନାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୬୦ ରହିଥିବାବେଳେ, ଏହାଠୁ ୬ଟି ଆସନ ଆଗରେ ରହିଛି କଂଗ୍ରେସ ।

କାହିଁକି ପଛରେ ପଡିଲା କେସିଆରଙ୍କ ବିଆରଏସ୍?

ତେଲେଙ୍ଗାନା ରାଜନୀତିରେ ଏଥର ଏକାଧିକ ପ୍ରସଙ୍ଗ କେସିଆରଙ୍କ ପାଇଁ ଭାରିପଡିଛି । କ୍ଷମତା ବିରୋଧୀ ହାୱା ସହ ଭ୍ରଷ୍ଟାଚାର, ବଂଶବାଦ ରାଜନୀତି ଏବଂ ତୁଷ୍ଟୀକରଣ ରାଜନୀତି ବିଆରଏସକୁ ଭାରିପଡିବାକୁ ଯାଉଛି । ଅନ୍ୟପଟେ କଂଗ୍ରେସକୁ ବଡ ଫାଇଦା ଦେଇଛି ରାହୁଲଙ୍କ ଭାରତ ଯୋଡ ଯାତ୍ରା । ତା ସହିତ ପ୍ରଦେଶ କଂଗ୍ରେସ ସଭାପତି ରେଭାନ୍ତ ରେଡ୍ଡୀଙ୍କର ନେତୃତ୍ୱକୁ ମଧ୍ୟ ଭରସା କରିଛନ୍ତି ତେଲେଙ୍ଗାନା ଭୋଟର ।

ତେଲେଙ୍ଗାନାର କାମାରେଡ୍ଡୀ ବିଧାନସଭା ଆସନରେ ଦେଖିବାକୁ ମିଳିଛି ରେଭନ୍ତ ଏବଂ କେସିଆର ଜୋରଦାର ଲଢେଇ । ରାଜ୍ୟର ଏହି ବହୁଚର୍ଚ୍ଚିତ ଆସନରେ ବିଆରଏସ୍ ପ୍ରମୁଖ କେସିଆରଙ୍କୁ ପଛରେ ପକାଇ ଦେଇଛନ୍ତି ରେଭନ୍ତ । ଅନ୍ୟପଟେ କେସିଆରଙ୍କ ପାରମ୍ପରିକ ଆସନ ଗେଜୱେଲରେ ମଧ୍ୟ ସେ କଡ୍ଡା ଟକ୍କରର ସାମ୍ନା କରୁଛନ୍ତି । ଏହି ଆସନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେପଟେ କିନ୍ତୁ ରେଭନ୍ତ ନିଜ ପାରମ୍ପରିକ ଆସନରେ ଆଗୁଆ ଚାଲୁଛନ୍ତି ।

କେସିଆରଙ୍କ ହାଟ୍ରିକ ସ୍ୱପ୍ନ ଅଧୁରା!

କେ ଚନ୍ଦ୍ରଶେଖର ରାଓଙ୍କ ନେତୃତାଧୀନ ଭାରତ ରାଷ୍ଟ୍ର ସମିତି ୨୦୧୪ ମସିହାରୁ ତେଲେଙ୍ଗାନାର କ୍ଷମତାରେ ରହିଛି । ଯେବେଠୁ ଆନ୍ଧ୍ରପ୍ରଦେଶଠାରୁ ତେଲେଙ୍ଗାନା ଅଲଗା ହେଇଛି, ସେବେଠୁ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି କେସିଆର । ୨୦୧୪ ସହ ୨୦୧୮ରେ ତେଲେଙ୍ଗାନାର ଭୋଟର କେସିଆରଙ୍କୁ ଭରସା କରିଥିଲେ । ହେଲେ ୨୦୨୩ରେ କିନ୍ତୁ ହାଟ୍ରିକର ସ୍ୱପ୍ନ ଦେଖିଥିବା କେସିଆରଙ୍କ ସ୍ୱପ୍ନ ଭାଙ୍ଗୁଥିବା ଦେଖିବାକୁ ମିଳୁଛି ।

ସତ ହେଲା ଏକଜିଟ୍ ପୋଲ

ଅଧିକାଂଶ ଏକଜିଟ୍ ପୋଲ୍ ସର୍ଭେରେ ଏଥର ତେଲେଙ୍ଗାନାରେ କଂଗ୍ରେସ କ୍ଷମତା ଅକ୍ତିଆର କରିବ ବୋଲି କୁହାଯାଇଥିଲା । ସର୍ଭେ ମୁତାବକ ଏଠାରେ ଫଳାଫଳ ବି ସମାନ ହେଉଥିବା ଦେଖିବାକୁ ମିଳୁଛି । କେସିଆର ଏଥର ତେଲେଙ୍ଗାନାର କ୍ଷମତା ଦାୟିତ୍ୱରୁ ହଟୁଥିବାବେଳେ, କଂଗ୍ରେସ ଏଠି କ୍ଷମତା ଅକ୍ତିଆର କରୁଛି ।