ବାପା ଓ ଜେଜେ ମା’ଙ୍କ ରାସ୍ତାରେ ଜ୍ୟୋତିରାଦିତ୍ୟ । ‘ହାତ’ ଛାଡ଼ି ଇତିହାସର ପୁନରାବୃତ୍ତି କଲେ ସିନ୍ଧିଆ ପରିବାରର ଏହି ଯୁବ ନେତା ।

403

କନକ ବ୍ୟୁରୋ : ସିନ୍ଧିଆ ପରିବାରରେ ଇତିହାସର ପୁନରାବୃତ୍ତି । ବାପା ଓ ଜେଜେମା’ଙ୍କ ରାସ୍ତାରେ ଜ୍ୟୋତିରାଦିତ୍ୟ । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ହାତ ଛାଡିଦେବା ପରେ ଦଳ ପାଇଁ ବିରାଟ ବଡ କ୍ଷତି ବୋଲି କୁହାଯାଉଛି । ଟ୍ୱିଟ କରି ଦଳରୁ ଇସ୍ତଫା ଦେବା କଥା ଘୋଷଣା କରିଥିଲେ ଜ୍ୟୋତିରାଦିତ୍ୟ । କୁହାଯାଉଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ସହ କଂଗ୍ରେସରୁ ଇସ୍ତଫା ନେଇ ଘୋଷଣା କରିଥିଲେ ଜ୍ୟୋତିରାଦିତ୍ୟ । ଅର୍ଥାତ ଆଗାମୀ ରାଜନୈତିକ ଯାତ୍ରା ବାବଦରେ ମଧ୍ୟ ସ୍ପଷ୍ଟ ସଂକେତ ଦେଇଥିଲେ ମଧ୍ୟପ୍ରଦେଶ ରାଜନୀତିର ଏହି ଯୁବ ଚେହେରା ।

ସାରାଦେଶ ଯେତେବେଳେ ହୋଲିର ରଙ୍ଗ ଖେଳରେ ମାତିଥିଲା ଠିକ ସେତିକିବେଳେ ମଧ୍ୟପ୍ରଦେଶରେ କମଳନାଥ ସରକାରଙ୍କୁ ଜୋରଦାର ଝଟକା ଦେଇ କଂଗ୍ରେସର ହାତ ଛାଡିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଆଉ ଏକ ବଡକଥା ହେଲା ବାପା ମାଧବରାଓ ସିନ୍ଧିଆଙ୍କ ଜୟନ୍ତୀରେ ଏଭଳି ନିଷ୍ପତି କରିଛନ୍ତି ଜ୍ୟୋତିରାଦିତ୍ୟ ।

ବାପାଙ୍କ ରାସ୍ତାରେ ବାହାରି ପଡିଛନ୍ତି ଜ୍ୟୋତିରାଦିତ୍ୟ । କାରଣ କଂଗ୍ରେସର ହାତ ଛାଡିବା ନେଇ ଜ୍ୟୋତିରାଦିତ୍ୟଙ୍କ ନିଷ୍ପତି ଠିକ୍ ବାପାଙ୍କ ନିଷ୍ପତି ଭଳି ହୋଇଛି । ୧୯୯୩ରେ ମାଧବରାଓ ସିନ୍ଧିଆ ଯେତେବେଳେ କଂଗ୍ରେସ ଦଳରେ ନିଜକୁ ଉପେକ୍ଷିତ ମନେ କଲେ, ସେତେବେଳେ ଦଳରୁ ଅଲଗା ହୋଇ ନିଜର ଅଲଗା ପାର୍ଟି ଗଢିଥିଲେ । ଦିଗବିଜୟ ସିଂହ ସରକାରରେ ମଧ୍ୟପ୍ରଦେଶ କଂଗ୍ରେସରେ କୋଣଠେସା ହୋଇଯାଇଥିଲେ ମାଧବରାଓ ସିନ୍ଧିଆ । ସେଥିପାଇଁ ମଧ୍ୟପ୍ରଦେଶ ବିକାଶ କଂଗ୍ରେସ ନାଁରେ ନିଜର ନୂଆ ଦଳ ଗଢିଥିଲେ । ଅବଶ୍ୟ ପରେ ସେ ପୁଣି କଂଗ୍ରେସକୁ ଫେରି ଆସିଥିଲେ ।

କୁହାଯାଉଛି କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଦୂରେଇ ରହିବା ଓ ସୋନିଆ ଗାନ୍ଧୀଙ୍କ ହାତକୁ କଂଗ୍ରେସ ନେତୃତ୍ୱ ଚାଲିଯିବା ପରେ ଦଳ ଭିତରେ ଉପେକ୍ଷିତ ହୋଇପଡିଥିଲେ ରାହୁଲ ବ୍ରିଗେଡ । ଜ୍ୟୋତିରାଦିତ୍ୟଙ୍କ ଭଳି ଯୁବ ନେତାଙ୍କୁ କମଲନାଥ ସରକାରରେ ଅଣଦେଖା କରାଯାଉଥିଲା ।

ଅତୀତରେ କଂଗ୍ରେସରେ ଉପେକ୍ଷିତ ହୋଇ ଦଳ ଛାଡିଥିଲେ ରାଜମାତା ବିଜୟରାଜେ ସିନ୍ଧିଆ । ୧୯୬୭ରେ ମଧ୍ୟପ୍ରଦେଶରେ ଥିଲା ଡିପି ମିଶ୍ରାଙ୍କ ସରକାର । ଆଉ ଦଳ ଭିତରେ ଗୁରୁତ୍ୱ ହରାଉଥିବା ଅନୁଭବ କରି କଂଗ୍ରେସ ଠାରୁ ଅଲଗା ହୋଇଯାଇଥିଲେ ଜ୍ୟୋତିରାଦିତ୍ୟଙ୍କ ଜେଜେମା’ ବିଜୟରାଜେ । ସେତେବେଳେ ଜନସଂଘରେ ଯୋଗଦେବା ସହ ଗୁନା ଲୋକସଭା ଆସନରୁ ଜନସଂଘ ଟିକେଟରେ ଜିତିଥିଲେ ରାଜମାତା ବିଜୟରାଜେ ସିନ୍ଧିଆ । ସମାନ ଢଙ୍ଗରେ କଂଗ୍ରେସରୁ ନିଜକୁ ଅଲଗା କରିନେଇଛନ୍ତି ଜ୍ୟୋତିରାଦିତ୍ୟ । ବାପା ଓ ଜେଜେମା’ଙ୍କ ରାସ୍ତାରେ ବାହାରି ପଡିଛନ୍ତି ସିନ୍ଧିଆ ପରିବାରର ଏହି ଯୁବ ନେତା ।