କନକ ବ୍ୟୁରୋ: ବିଜେପିରେ ମିଶିବେ କି ଜ୍ୟୋତିରାଦିତ୍ୟ ସିନ୍ଧିଆ ? ହାତ ଛାଡି ପଦ୍ମ ଧରିବେ କି ସିନ୍ଧିଆ? ରଙ୍ଗର ପର୍ବରେ ସିନ୍ଧିଆଙ୍କ ଦେହରେ ଲାଗିବ କି ରାଜନୀତିର ଗେରୁଆ ରଙ୍ଗ? ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା । ମୋଦିଙ୍କ ବାସଭବନରେ ଅମିତ ଶାହାଙ୍କ ସହ ଭେଟିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ସିନ୍ଧିଆ ଖୁବଶୀଘ୍ର ପଦ୍ମ ଧରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।

Advertisment

ତେବେ ଇତି ମଧ୍ୟରେ କଂଗ୍ରେସ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ୨୦ ଜଣ ବିଧାୟକ ବେଙ୍ଗାଲୁରୁରେ ଡେରା ପକାଇଛନ୍ତି । ବିଜେପି ସୁତ୍ର ଅନୁସାରେ, ଜ୍ୟୋତିରାଦିତ୍ୟଙ୍କୁ ବିଜେପିରେ ସାମିଲ କରିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି । ଯଦି ସିନ୍ଧିଆ ବିଜେପିରେ ମିଶନ୍ତି ତେବେ ଆସନ୍ତା ୪୮ ଘଂଟା କମଳନାଥ ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି ।

ସିନ୍ଧିଆଙ୍କୁ ନେଇ ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧୀନ କମଳନାଥ ସରକାର ସଙ୍କଟରେ ଅଛି । ରାଜ୍ୟରେ ଶିବରାଜ ସିଂହ ଚୌହାନଙ୍କୁ ଚକମା ଦେଇ କଂଗ୍ରେସକୁ କ୍ଷମତାସୀନ କରାଇଥିବା ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ଗେରୁଆ ରଙ୍ଗରେ ରଙ୍ଗେଇ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ସିନ୍ଧିଆଙ୍କ ୨୦ ଜଣ ସମର୍ଥକ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି ।

ସେପଟେ ବିଜେପି କହିଛି, କମଲ ନାଥଙ୍କ ସରକାର ଭାଙ୍ଗିବା ନିଶ୍ଚିତ । କମଲ ନାଥ କ୍ୟାବିନେଟର ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ଏବେ ନୂଆ କ୍ୟାବିନେଟ୍ ଗଢିବାକୁ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ କ୍ଷମତା ମିଳିସାରିଛି । ଏହାରି ଭିତରେ ସରକାର ବଂଚାଇବା କଂଗ୍ରେସ ପାଇଁ ବଡ ଚ୍ୟାଲେଂଜ୍ । ସେପଟେ ସିନ୍ଧିଆଙ୍କୁ ମନାଇବାକୁ ଉଦ୍ୟମ କରୁଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ବି ସରକାର ବଂଚାଇବାକୁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଥିବା ବେଳେ ସିନ୍ଧିଆ ମୋଦିଙ୍କୁ ଭେଟିବା ଏକ ବଡ ପରିବର୍ତ୍ତନ ସଙ୍କେତ ଦେଉଛି ।