ମୋଦୀଙ୍କ ଟିମରେ ସାମିଲ ହେଲେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ଜ୍ୟୋତିରାଦିତ୍ୟ ସିନ୍ଧିଆ ବି ହେଲେ କ୍ୟାବିନେଟ୍ ମନ୍ତ୍ରୀ ।

211

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବା ସହିତ ତମାମ ବଡ ବଡ ନେତାମାନେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଶେଷକରି ମଧ୍ୟପ୍ରଦେଶ ରାଜ୍ୟନୀତିରେ ଗୁରୁତ୍ୱ ରଖୁଥିବା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହିତ ବିହାରର ନେତା ପଶୁପତି ପାରସ, କିରଣ ରିଜଜୁ, ହରଦୀପ ସିଂହ ପୁରୀ ପ୍ରମୁଖ ମଧ୍ୟ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତ କିଛି ଦିନ ଧରି କେନ୍ଦ୍ର କ୍ୟାବିନେଟରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ଏବେ ଏହା ସତରେ ପରିଣତ ହୋଇଛି । କାହିଁକି ନା ମଧ୍ୟପ୍ରଦେଶରେ କଂଗ୍ରେସ ସରକାରକୁ ମାତ୍ ଦେଇ ସେ ସେଠାରେ ବିଜେପି ସରକାରକୁ ଆଣିବାକୁ ସକ୍ଷମ ହୋଇଥିଲେ । ଯାହାର ଫଳସ୍ୱରୂପ ମୋଦୀ ତାଙ୍କୁ କ୍ୟାବିନେଟ୍ ପାହ୍ୟା ଦେବା ସହିତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଦେଇପାରନ୍ତି । ଏହା ସହିତ ସେ କଂଗ୍ରେସର ହାତ ଛାଡି ବିଜେପିରେ ସାମିଲ ହୋଇଥିବା ନେତାଙ୍କ ଭିତରେ ଅଛନ୍ତି ।

ଅନ୍ୟପଟେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଧ୍ୟ ଆଜି କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ମଧ୍ୟ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବା ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ହେଇ ଆସୁଥିଲା । ଆସାମରେ ବିଜେପିକୁ ପୁଣିଥରେ କ୍ଷମତାକୁ ଆଣିବାକୁ ସେ ଲଗାତାର ପ୍ରୟାସ କରିଥିଲେ । ଏହାପରେ ଆସାମରେ ଏବେ ହିମନ୍ତ ବିଶ୍ୱଶର୍ମାଙ୍କ ସରକାର କ୍ଷମତାକୁ ଆସିଥିଲା । ଏବେ ସର୍ବାନନ୍ଦ ସୋନୱାଲଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ନଦେଇ ମୋଦୀ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ କରିଛନ୍ତି ।