ବିଳାସମୟ ମହଲରେ ରହୁଛନ୍ତି ମୋଦୀଙ୍କ ମନ୍ତ୍ରୀ । ମହଲ ଭିତରେ ରହିଛି ୪୦୦ କୋଠରୀ,  ଦାମ ୪ ହଜାର କୋଟି । ରୂପା ଟ୍ରେନରେ ପରଷାଯାଏ ଖାଦ୍ୟ ।

2,181

କନକ ବ୍ୟୁରୋ : ମୋଦୀଙ୍କ ମନ୍ତ୍ରୀଙ୍କ ବିଳାସମୟ ମହଲ । ଯାହାର ମୂଲ୍ୟ ୪ ହଜାର କୋଟି, ଯେଉଁ ମହଲକୁ ସଜାଇବାକୁ କାନ୍ଥରେ ଲାଗିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନା ରୂପା । ଯେଉଁ ମହଲକୁ ଦେଖିଲେ ଆଖି ଝଲସି ଉଠିବ । କାରୁକାର୍ଯ୍ୟ ଏମିତି ହୋଇଛି ଯେ, ଥରେ ଏଠାକୁ ଆସିଲେ ଫେରିବାକୁ ମନ ହେବନି । ସେହିଭଳି ଏକ ଭବ୍ୟ ମହଲରେ ରହୁଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମୋଦୀ ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିବା ଜ୍ୟୋତିରାଦିତ୍ୟ ହେଉଛନ୍ତି ଗ୍ୱାଲିୟର ସିନ୍ଧିଆ ରାଜବଂଶଜ । ଦେଶରେ ଗଣତନ୍ତ୍ର ଶାସନ ଚାଲୁଥିଲେ ମଧ୍ୟ ଗ୍ୱାଲିୟରରେ ସିନ୍ଧିଆ ବଂଶଜକୁ ରାଜପରିବାର ଭାବେ ମାନି ଆସନ୍ତି ଲୋକେ । ଆଉ ଜ୍ୟୋତିରାଦିତ୍ୟଙ୍କୁ ମହାରାଜ ଭାବେ ମାନି ଆସୁଛନ୍ତି ଜନତା ।

ଗ୍ୱାଲିୟରରେ ଥିବା ଏହି ବିଳାସମୟ ମହଲର ନାଁ ହେଉଛି ଜୟବିଳାସ । ୧୮୭୪ ମସିହାରେ ଏହି ମହଲର ନିର୍ମାଣ କରାଯାଇଥିଲା ।ସେତେବେଳେ ଜୟାଜିରାବ ସିନ୍ଧିଆ ମହାରାଜ ଭାବେ ଏହି ମହଲ ନିର୍ମାଣ କରିଥିଲେ । ମହଲର ଡିଜାଇନ ବ୍ରିଟେନର ପ୍ରସିଦ୍ଧ ଡିଜାଇନର ମାଇକେଲ ଫିଲୋସ ପ୍ରସ୍ତୁତ କରିଥିଲେ । କୁହାଯାଏ ଏହି ବିଶାଳକାୟ ମହଲ ପ୍ରିନ୍ସ ଜର୍ଜ ଓ ପ୍ରିନ୍ସେସ ମ୍ୟାରୀଙ୍କ ସ୍ୱାଗତ ପାଇଁ କରାଯାଇଥିଲା । ୧୮୭୬ରେ ଏମାନେ ଭାରତ ଆସିଥିଲେ । ଜୟବିଳାସ ପ୍ୟାଲେସରେ ୪୦୦ଟି କୋଠରୀ ରହିଛି । ଆଉ ସବୁଠୁ ବଡ କଥା ହେଉଛି, ମହଲର ଛାତରେ ସୁନା ଲେପ ଦିଆଯାଇଛି । ତିନି ମହଲା ବିଶିଷ୍ଟ ଏହି ଭବ୍ୟ ମହଲର ଭିତର ପାଶ୍ୱର୍କୁ ଆକର୍ଷଣୀୟ କରିବାକୁ ୫୬୦ କିଲୋର ସୁନା ଲେପ ଦିଆଯାଇଛି । ୪୦୦ଟି କୋଠରୀ ମଧ୍ୟରୁ ୪୦ଟି କୋଠରୀକୁ ଏବେ ମ୍ୟୁଜିୟମ କରାଯାଇଛି । ମ୍ୟୁଜିୟମ ଭିତରେ ଏମିତି କିଛି ସାମଗ୍ରୀ ରହିଛି ଯାହା ସିନ୍ଧିଆ ରାଜବଂଶର ସମୃଦ୍ଧିକୁ ଦର୍ଶାଇଥାଏ । ଏଥିରେ ଝାନସୀ ରାଣୀଙ୍କର ଛତା, ଔରଙ୍ଗଜେବ ଓ ଶାହାନଜାହଙ୍କ ଅସ୍ତ୍ର ରହିଛି । ଏହାଛଡା ଦେଶ ଓ ବିଦେଶର ଅନେକ କଳାକୃତ୍ତି ରହିଛି ।

ଏହି ମହଲର ଶୋଭାକୁ ଦ୍ୱିଗୁଣିତ କରିଛି ଭିତରେ ଲାଗିଥିବା ଝୁମର । ମହଲ ଭିତରେ ଦୁଇଟି ଝୁମର ଲାଗିଛି, ଯାହାର ଓଜନ ୩୫୦୦ କିଲୋଗ୍ରାମରୁ ଅଧିକ ହେବ । ଏହି ସୁନ୍ଦର ଝୁମରକୁ ବେଲଜିୟମ କଳାକାର ନିର୍ମାଣ କରିଥିଲେ । କୁହାଯାଏ, ଏହି ଝୁମରକୁ ଛାତରେ ଝୁଲାଇବା ପୂର୍ବରୁ ୧୦ଟି ହାତୀ ଛାତ ଉପରକୁ ଚଢା ଯାଇଥିଲା । ଛାତ ଝୁମର ଓଜନକୁ ସମ୍ଭାଳି ପାରିବ କି ନାହିଁ ତାହା ପରୀକ୍ଷା କରିବା ପାଇଁ ଏଭଳି କରାଯାଇଥିଲା । ଗୋଟିଏ ସପ୍ତାହ ଧରି ଏହି ପ୍ରକ୍ରିୟା ଚାଲିବା ପରେ ଛାତରେ ଝୁମର ଲଗାଯାଇଥିଲା ।

ଜୟବିଳାସ ମହଲର ସଂଗ୍ରାହଳୟରେ ରୂପାର ରେଳ ରହିଛି । ଆଉ ଏହି ରୂପା ଟ୍ରେନର ଟ୍ରାକ ଡାଇନିଂ ଟେବୁଲ ଉପରେ ରହିଛି । କୌଣସି ବିଶିଷ୍ଟ ଅତିଥି ଆସିଲେ ଏହି ଡାଇନିଂ ଟେବୁଲରେ ରୂପା ରେଳରେ ଖାଦ୍ୟ ପରଷା ଯାଇଥାଏ । ଏହି ମହଲ ମଧ୍ୟରେ ଏକ ଦରବାର ହଲ ରହିଛି । ଯେଉଁଠି ମହାରାଜାଙ୍କ ଦରବାର ବସିଥାଏ । ଯେତେବେଳେ ଏହାର ନିର୍ମାଣ ହୋଇଥିଲା ସେତେବେଳେ ଏଥିପାଇଁ କୋଟିଏ ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ଏବେ ଏହାର ମୂଲ୍ୟ ପାଖାପାଖି ୪୦୦୦ କୋଟିରେ ପହଞ୍ଚିଛି । ଏଠାକୁ ବୁଲିବା ପାଇଁ ଭାରତୀୟ ବ୍ୟକ୍ତିଙ୍କୁ ୧୫୦ ଟଙ୍କାର ଟିକେଟ ଓ ବିଦେଶୀ ବ୍ୟକ୍ତିଙ୍କୁ  ୮୦୦ ଟଙ୍କାର ଟିକେଟ କାଟିବାକୁ ପଡିଥାଏ ।