ଟ୍ୟୁସନ ଯାଇଥିଲେ ଶବ ହୋଇ ଫେରିଲେ । ରାଜଧାନୀର ମୁକୁଳା ଡ୍ରେନ ନେଇଗଲା ରାଜାର ଜୀବନ ।

175

କନକ ବ୍ୟୁରୋ : ଟ୍ୟୁସନ ଯାଇଥିଲେ ଶବ ହୋଇ ଫେରିଲେ । ମୁକୁଳା ଡ୍ରେନ ନେଇଗଲା ନାବାଳକର ଜୀବନ । କୌଣସି ନଈ କି ନାଳ ନୁହେଁ । ଟ୍ୟୁସନ ପାଇଁ ଯାଉଥିବା ବେଳେ ଡ୍ରେନରେ ଭାସିଯାଇ ନାବାଳକର ଜୀବନ ଚାଲିଗଲା । ଏହି ଅଘଟଣ ପୁଣି କୌଣସି ଉପାନ୍ତ ଅଞ୍ଚଳରେ ଘଟିନି, ଘଟିଛି ଓଡିଶାର ରାଜଧାନୀ ଭୁବନେଶ୍ୱରରେ । ରବିବାର ଅପରାହ୍ନରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ପରେ ବର୍ଷା ପାଣି ଡ୍ରେନ ରାସ୍ତା ଏକାକାର ହୋଇଯାଇଥିଲା । ସେ ସମୟରେ ଟ୍ୟୁସନ ବାହାରିଥିବା ଜଣେ ଦଶମ ଶ୍ରେଣୀ ଛାତ୍ର ଡ୍ରେନରେ ଭାସିଯାଇଥିଲେ । କିଛି ସ୍ଥାନୀୟ ଲୋକ ମନା କରିବା ସତ୍ୱେ ଡ୍ରେନ ରାସ୍ତାରେ ପାରି ହେବା ବେଳେ ଛାତ୍ରଙ୍କ ଗୋଡ ଖସି ଯାଇଥିଲା ।

ବରମୁଣ୍ଡା ପାଲାମଣ୍ଡପର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ଟ୍ୟୁସନ ହେବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଡ୍ରେନରେ ଭାସିଯାଇଥିବା ଖବର ପାଇ ଘରେ ସମସ୍ତେ ବାଉଳି ଚାଉଳି ହେଲେ । ଅପରାହ୍ନରୁ ରାତି ହୋଇଗଲା ହେଲେ ଜ୍ୟୋତି ପ୍ରକାଶଙ୍କ ପତ୍ତା ମିଳିଲାନି । ଡ୍ରେନରେ ଜଣେ ଛାତ୍ର ଭାସିଯିବା ଖବର ପାଇ ତୁରନ୍ତ ଉଦ୍ଧାର କାମ ଆରମ୍ଭ କରିଥିଲେ ଅଗ୍ନିଶମ ବାହିନୀ । ଅଣ୍ଟାରେ ରଶି ଭିଡି ଡ୍ରେନରେ ପଶିଥିଲେ, ଚାରି ଆଡେ ନିଖୋଜ ଜ୍ୟୋତିପ୍ରକାଶକୁ ଖୋଜାଖୋଜି କରିଥିଲେ । ହେଲେ କୌଣସି ପତା ମିଳିନଥିଲା ।

ଖବର ପାଇ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚିଥିଲେ ପୂର୍ବତନ ମେୟର ତଥା ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ମନ୍ତ୍ରୀ ତଥା ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପହଂଚି ବିଏମସିର ଅବହେଳାରୁ ଏଭଳି ଅଘଟଣ ଘଟିଥିବା କହିଛନ୍ତି । ତାଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ଦୁର୍ଘଟଣାସ୍ଥଳ ନିକଟରେ ଧାରଣା ଦିଆଯାଇଥିଲା । ସେପଟେ ଏହି ଅଭାବନୀୟ ଘଟଣା ପାଇଁ ବିଏମସିର ବେପରୁଆ ମନୋଭାବକୁ ଦାୟୀ କରି ବିଜେପି ଖଣ୍ଡଗିରି ଥାନାରେ ବିଏମସି କମିଶନରଙ୍କ ନାଁରେ ଏତଲା ଦେଇଛି । ଦୀର୍ଘ ୧୯ ଘଣ୍ଟାର ଅପରେସନ ପରେ ଭୁବନେଶ୍ୱର ପଞ୍ଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।