ସହିଦ ସ୍ୱାମୀଙ୍କ ସାହସୀ ସ୍ତ୍ରୀ । ସ୍ୱାମୀଙ୍କ ଶେଷ ଇଛା ପୂରଣ କରିବାକୁ ସେନାରେ ହେଲେ ସାମିଲ, ଏବେ ଶତ୍ରୁଙ୍କୁ କରିବେ ସଂହାର ।

473

କନକ ବ୍ୟୁରୋ: ଦେଶପାଇଁ ବଳିଦାନ, ମାଟି ମା’ ପାଇଁ ହସି ହସି ମୃତ୍ୟୁକୁ ବି ଅନେକ ବୀରପୁଅ ଆପଣାଇ ନିଅନ୍ତି । ହେଲେ ଜଣେ ସହିଦଙ୍କ ସ୍ତ୍ରୀ କେବଳ ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ସେନାରେ ସାମିଲ ହୋଇଛନ୍ତି । ଦୁଇଟି ପିଲାର ମା’ ହେଲେ ଦେଶମାତୃକା ସେବା କରିବାକୁ ସାଜିଛନ୍ତି ସିଂହବାହିନୀ । ଶତ୍ରୁଙ୍କ ସଂହାର କରିବାକୁ ସେନାରେ ସାମିଲେ ହୋଇଥିବା ଏହି ସାହସୀ ମହିଳାଙ୍କ ବିଷୟରେ ଜାଣିଲେ, ଆପଣଙ୍କ ମୁଣ୍ଡ ନଇଁଯିବ, ହାତ ସାଲ୍ୟୁଟ୍ ମାରିବାକୁ ଉଠିବ ନିଶ୍ଚୟ ।

ସହିଦ ନାଏକ ଦୀପକ ନୈନବାଲଙ୍କ ପତ୍ନୀ ଜ୍ୟୋତି ନୈନବାଲ । ୪ର୍ଥ ପ୍ରୟାସରେ ଏସଏସସି ପରୀକ୍ଷାକୁ ପାସ୍ କରିଥିଲେ । ଏହାପରେ ବର୍ଷେ ଧରି ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଇ ସାରି ସେନାରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଜ୍ୟୋତି ନୈନବାଲ । ହେଲେ ଜ୍ୟୋତିଙ୍କ ପାଇଁ ସହଜ ନଥିଲା ସେନାର ସ୍ୱପ୍ନ । ଲଗାତାର ୪ର୍ଥ ପ୍ରୟାସରେ ଏସଏସସି ପରୀକ୍ଷା ପାସ୍ କରି ଆର୍ମି ଅଫିସର ବନିଯାଇଛନ୍ତି ବୀର ସହିଦଙ୍କ ସାହସୀ ସ୍ତ୍ରୀ । ଆଉ କହିଛନ୍ତି ଦେଶମାତୃକା ପାଇଁ ମୋ ସ୍ୱାମୀ ବଳିଦାନ ଦେଇଛନ୍ତି ଯାହା ଆମକୁ ପ୍ରେରଣା ଦେଇଛି । ସେହି ବୀର ସାହସକୁ ସାଥିରେ ଧରି ଏବେଠୁ ଦେଶସେବାରେ ନିଜକୁ ଉତ୍ସର୍ଗ କରିଛି ।

ଡେରାଡୁନ ହରୱାଲର ସହିଦ ନାଏକ ଦୀପକ ନୈନବାଲ ୨୦୧୮ ଜମ୍ମୁ-କଶ୍ମୀରରେ ଆତଙ୍କୀଙ୍କୁ କଡ଼ା ଜବାବ୍ ଦେଇଥିଲେ । ଛାତିରେ, ଗୋଡ଼ରେ ୩ଟି ଗୁଳି ଖାଇ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ଏକମାସ ଧରି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ଦେଶର ବୀରପୁଅ ଦୀପକ । ତ୍ରିରଙ୍ଗାରେ ଲୋଟି ହୋଇ ଘରକୁ ଆସିଥିବା ସହିଦ ସ୍ୱାମୀର ମରଶରୀରକୁ ଦେଖି ଆଖିରୁ ଲୁହ ଝରିଥିଲା କିନ୍ତୁ ନା ଭାଙ୍ଗିଲା ସାହସ ନା କମିଲା ଦେଶପ୍ରତି ଥିବା ସେ ଭଲପାଇବା । ଓଲଟି ଯନ୍ତ୍ରଣାକୁ ଭୁଲି ନୂଆ ଏକ ସାହସଭରା କାହାଣୀ ଲେଖିବାକୁ ଆତ୍ମବଳ ବଢ଼ାଇଛନ୍ତି ସହିଦଙ୍କ ସାହସୀ ସ୍ତ୍ରୀ । କାରଣ ସୀମାରେ ସୁରକ୍ଷା ଦେଉଥିବା ହିରୋଙ୍କ ଶକ୍ତି ହେଉଛି ତା’ ପରିବାର ଆଉ ଏ ସାରା ଭାରତ ।

ତେବେ ଜ୍ୟୋତି ଆର୍ମି ଅଫିସର ବନିବା ପରେ ତାଙ୍କ ଶ୍ୱଶୁର କହିଛନ୍ତି କି, ମୋ ବୋହୂ ଭୋର ସାଢ଼େ ୩ଟାରୁ ଉଠି ଦୌଡ଼ିବାକୁ ଯାଏ । କାରଣ ଆମ ଦୁଇ ଦୁଇଟି ପିଲାର ମା’ ସେନାରେ ଭର୍ତ୍ତି ହେବାର ସ୍ୱପ୍ନକୁ ସାକାର କରିବା ଏତେ ସହଜ ନଥିଲା । ସବୁ ବାଧାବିଘ୍ନକୁ ମାତ୍ ଦେଇ ଏବେ ଦେଶସେବା କରିବାକୁ ମୋ ବୋହୂ ଶପଥ କରିଛି । ସତରେ ସାହସୀ ଜ୍ୟୋତିଙ୍କ ଆଜିର ମହିଳାମାନଙ୍କ ପାଇଁ ପ୍ରେରଣା । ଦେଶକୁ ସୁରକ୍ଷା ଦେଉ ଦେଉ ସ୍ୱାମୀ ସହିଦ ହୋଇଗଲେ ସତ କିନ୍ତୁ ସେ ଦୁଃଖ ଆଉ ଲୁହରେ ଛାତିକୁ ଲୁହା କରିଦେଇଛନ୍ତି ଜ୍ୟୋତି । ଏଥର ଏ ଜ୍ୟୋତି ଜଳିବ, ଆତଙ୍କୀଙ୍କ ପାଇଁ ଆତଙ୍କ ପାଲଟିବ, ଶତ୍ରୁଙ୍କୁ ଦେଖିଲେ ସଂହାର ବି କରିବ ।