ଗୋପାଳପୁର ସାମ୍ବାଦିକ ଜଗନ୍ନାଥ ନାୟକ ହତ୍ୟା ମାମଲା । ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିବା ନାବାଳକ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ ।

404

କନକ ବ୍ୟୁରୋ: ଗୋପାଳପୁର ସାମ୍ବାଦିକ ତଥା ଯୁବ ନେତା ଜଗନ୍ନାଥ ନାୟକ ହତ୍ୟା ମାମଲାରେ ଜଣେ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରହ୍ମପୁର ପୋଲିସ । ଗିରଫ ନାବାଳକ ଜଣଙ୍କ ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡା ଗାଁର । ସେ ଜଗନ୍ନାଥଙ୍କ ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିଲା । କିଛିଦିନ ହେବ ଦରମା ଟଙ୍କାକୁ ନେଇ ଜଗନ୍ନାଥ ଓ ଅଭିଯୁକ୍ତ ନାବାଳକ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା । ଏହାକୁ ନେଇ ନାବାଳକକୁ ଜଗନ୍ନାଥ ସବୁବେଳେ ଗାଳିଗୁଲଜ କରୁଥିବା ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ।

ବାରାମ୍ବାର ଦରମା ଟଙ୍କା ମାଗିଥିଲେ ବି ତାହା ନ ମିଳିବାରୁ ଜଗନ୍ନାଥଙ୍କୁ ପଥର ଓ ଲୁହାରଡରେ ଆକ୍ରମଣ କରି ନାବାଳକ ଜଣଙ୍କ ହତ୍ୟା କରିଥିବା ଜଣାପଡିଛି । ଜଗନ୍ନାଥ ଗୋପାଳପୁର ସ୍ଥିତ ନିଜ ଭଡା ଘରେ ଶୋଇଥିବାବେଳେ ତାଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । ପ୍ରଥମେ ଜଗନ୍ନାଥଙ୍କ ମୁଣ୍ଡକୁ ପଥରରେ ଛେଚିବା ସହ ଲୁହା ରଡରେ ଆକ୍ରମଣ କରିଥିଲା । ପୋଲିସ ନାବାଳକ ଠାରୁ ପଥର ଓ ଲୁହା ଛଡ ମଧ୍ୟ ଜବତ କରିଛି । ତେବେ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ କରୁଛି ପୋଲିସ ।