ଚାଷ କ୍ଷେତରୁ ଲିଭି ଯିବକି ନଳିତା ଚାଷ । ସାଲେପୁର, ନିଶ୍ଚିନ୍ତ କୋଇଲି ଓ ମାହାଙ୍ଗାରେ ନଳିତା ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ
କନକ ବ୍ୟୁରୋ : ଯୁଆଡେ ଚାହିଁଲେ ଖାଲି ଧାନ ଚାଷ ନହେଲେ ଚାଷ ଜମି ପଡିଆ ପଡିଛି । ଜମି ପଡିଆ ପଡିବାର କାରଣ ହେଉଛି ନଳିତା ଚାଷରୁ ଚାଷୀ ବିମୁଖ ହେବା । ଯେଉଁ କେତେଜଣ ଚାଷୀ ଚାଷ କରୁଛନ୍ତି ଝୋଟର ଉଚିତ ଦାମ ନମିଳିବାରୁ ସେମାନେ ମଧ୍ୟ ହତାସ ହୋଇ ଆଉ ନଳିତା ଚାଷ କରିବେ ନାହିଁ ବୋଲି କହିଲେଣି । ନଳିତା ଚାଷ ଏକ ଲାଭ ଜନକ ଫସଲ । ହେଲେ ବହୁ କଷ୍ଟକର । ଲଳିତା କାଟିବା ଠାରୁ ଆରମ୍ଭ କରି ତାକୁ ପାଣିରେ ପକାଇ ପଚାଇ ଝୋଟ ଓ କାଉଁରିଆ କାଠି କାଢ଼ିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ । ଏତେ ପରିଶ୍ରମ ସତ୍ତ୍ୱେ ପାରିଶ୍ରମିକ ଠିକ ଭାବେ ମିଳୁନାହିଁ । ଝୋଟ ବିକ୍ରି ପାଇଁ ବଜାର ନାହିଁ କି ସରକାରୀ ପ୍ରୋତ୍ସାହନ ମିଳୁନାହିଁ । ତେଣୁ ଝୋଟ ବିକ୍ରି କରିବା ପାଇଁ ଚାଷୀ ବ୍ୟବସାୟୀଙ୍କ ଦ୍ୱାରା ଶୋଷିତ ହେଉଥିବା ଅଭିଯୋଗ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଦିନେ ନିଶ୍ଚିନ୍ତକୋଇଲିର କେନ୍ଦୁପାଟଣା ଠାରେ ଝୁଟ କର୍ପୋରେସନ ଅଫ ଇଣ୍ଡିଆ ର ଗୋଦାମ କରାଯାଇ ଲକ୍ଷ ଲକ୍ଷ ଟନ ଝୋଟ ସଂଗ୍ରହ କରାଯାଇ ପଶ୍ଚିମବଙ୍ଗକୁ ଯାଉଥିଲା। ହେଲେ ସେ ସମୟ ଆଜି ନାହିଁ । ଝୋଟର ଉତ୍ପାଦନ କମିବା ସହ ଝୋଟ ସାମଗ୍ରୀର ବ୍ୟବହାର ମଧ୍ୟ କମିଗଲାଣି। ପ୍ଲାଷ୍ଟିକ୍ ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ ଝୋଟ ସାମଗ୍ରୀର ଆବଶ୍ୟକତା ପଡୁନାହିଁ। ଫଳରେ ଧୀରେ ଧୀରେ ବୁଡିବାକୁ ବସିଲାଣି ଲଳିତା ଚାଷ। ଏପଟେ ଝୁଟ କର୍ପୋରେସନ ଅଫ ଇଣ୍ଡିଆର କର୍ମଚାରୀ କହିଛନ୍ତି, ନଳିତା ଚାଷ କରିବା ପାଇଁ ଚାଷୀଙ୍କୁ ସଚେତନ କରାଯାଉଛି । ସେପଟେ କୃଷି ଅଧିକାରୀ କହିଛନ୍ତି, କିଛି କିଛି ଚାଷୀ ନଳିତା ଚାଷ କରୁଛନ୍ତି ଓ ଆଗାମୀ ଦିନରେ ଅଧିକ ଚାଷୀ କିପରି ଚାଷ କରିବେ ତାହା ପ୍ରତି ଦୃଷ୍ଟି ଦିଆଯିବ।
ଲଳିତା ଚାଷ ପ୍ରତି ବିମୁଖ ହେଉଥିବା ଚାଷୀଙ୍କ ପାଇଁ ସରକାର କେବେ ପ୍ରୋତ୍ସାହନ ଦେଉଛନ୍ତି ଆଉ ଚାଷୀ ତାର ସୁଫଳ ପାଉଛନ୍ତି ତାକୁ ହିଁ ଅପେକ୍ଷା ।