କନକ ବ୍ୟୁରୋ : ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାନାଡା ଫେରିପାରୁ ନାହାନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ ଜଷ୍ଟିନ । ରବିବାର ଦିନ କାନାଡା ଫେରିବା ପୂର୍ବରୁ ପ୍ରୋଟୋକଲ ଅନୁଯାୟୀ ବିମାନର ଯାଂଚ କରାଯିବା ବେଳେ ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସିଥିଲା । ଫଳରେ ଏୟାରବସ ସିଭିସି-୦୦୧କୁ ଉଡ଼ାଣ ଭରିବା ପାଇଁ ଅନୁମତି ଦେଇନଥିଲା କାନାଡା ସେନା । ଦୁଇ ଦିନି ବିତି ଯାଇଥିଲେ ମଧ୍ୟ ଏହି ବିମାନକୁ ସଜଡା ଯାଇପାରିନାହିଁ ।

Advertisment

କାନାଡା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜଷ୍ଟିନ ଟ୍ରୁଡୋ ଓ ତାଙ୍କ ପ୍ରତିନିଧିଙ୍କୁ ଭାରତରୁ ନେବା ପାଇଁ ଏୟାରବସ ସିଭିସି-୦୦୨ ପଠାଯାଇଛି । କାନାଡା ଗଣମାଧ୍ୟମର ସୂଚନା ଅନୁଯାୟୀ କାନାଡାରୁ ଆସୁଥିବା ବିମାନରେ ଏକ ଟେକନିକାଲ ଟିମ ସହ କିଛି ଯନ୍ତ୍ରାଂଶ ମଧ୍ୟ ଅଣାଯାଉଛି । ଯଦି ଏହି ଟିମ୍ ବିମାନକୁ ସଜାଡ଼ିବାରେ ସଫଳ ହେବେ ତେବେ ଜଷ୍ଟିନ ଟ୍ରୁଡୋ ତାଙ୍କ ବିମାନରେ ଫେରିଯିବେ । ଅନ୍ୟ ବିଶ୍ୱ ନେତା ନିଜ ନିଜ ଦେଶକୁ ଫେରି ଯାଇଥିବା ବେଳେ ରବିବାରଠାରୁ ୩ଦିନ ହେଲା ଭାରତରେ ଅଛନ୍ତି କାନାଡା ପ୍ରଧାନମନ୍ତ୍ରୀ ।

ତେବେ ଏହା ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ମଧ୍ୟ କାନାଡା ପ୍ରଧାନମନ୍ତ୍ରୀଙ୍କ ବିମାନ ଏପରି ଖରାପ ହେବା ଯୋଗୁଁ ତାଙ୍କୁ ଅପଦସ୍ତ ହେବାକୁ ପଡ଼ିଛି । ୨୦୧୬ରେ କାନାଡାରୁ ଉଡ଼ାଣ ଭରିବାର ମାତ୍ର ଅଧ ଘଂଟା ପରେ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ଯୋଗୁଁ ତାଙ୍କୁ ପୁଣି ଓଟାୱା ଫେରିବାକୁ ପଡ଼ିଥିଲା । ୨୦୧୯ ଡିସେମ୍ବରରେ ମଧ୍ୟ ନାଟୋ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁଜଷ୍ଟିନ ଟ୍ରୁଡୋଙ୍କୁ ବିକଳ୍ପ ବିମାନରେ ଯାତ୍ରା କରିବାକୁ ପଡ଼ିଥିଲା ।