ନାବାଳିକା ଝିଅର ମୃତ୍ୟୁ ମାମଲାରେ ମିଳିଲା ନାହିଁ ନ୍ୟାୟ : ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ଆଣିବା ପରେ ଆଜି ବିଧାନସଭାରେ ଉତ୍ତର ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ

ଉତ୍ତର ରଖିବା ନେଇ ଗତକାଲି ବାଚସ୍ପତି ଦେଇଥିଲେ ରୁଲିଂ

127

କନକ ବ୍ୟୁରୋ : ନୟାଗଡ ପରି ମୃତ୍ୟୁ ଘଟଣାରେ, କ୍ୟାବିନେଟ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣି ଦମ୍ପତି ଆତ୍ମହୁତି ଉଦ୍ୟମ କରିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖିବେ । ଏନେଇ ଗତକାଲି ବାଚସ୍ପତି ରୁଲିଂ ଦେଇଥିଲେ । ଝିଅର ହତ୍ୟା ପାଇଁ ପରିର ବାପା ଓ ମା ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟୀ କରିଛନ୍ତି । ମନ୍ତ୍ରୀଙ୍କ ପାଖ ଲୋକମାନେ ଝିଅକୁ ହତ୍ୟା କରିଥିବାବେଳେ ମନ୍ତ୍ରୀ କିଛି କରୁ ନାହାନ୍ତି ବରଂ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ।

ସେମାନେ ଆହୁରି ଅଭିଯୋଗ ଆଣିଛନ୍ତି, ନାବାଳିକା ଝିଅକୁ ମାରି ତାର ଆଖି ଓ କିଡନୀ ତାଡି ନିଆଗଲା । ନ୍ୟାୟ ମାଗିବାରୁ ସେମାନଙ୍କୁ ଗାଁରୁ ବିଦା କରାଯାଉଛି । ଚାରିଆଡୁ ନିରାଶ ହେବା ପରେ ପରିର ବାପା, ମାଆ ଅଶୋକ ସାହୁ ଓ ସୌଦାମିନୀ ସାହୁ ଗତକାଲି ବିଧାନସଭା ସାମ୍ନାରେ ଆତ୍ମହୁତି ଉଦ୍ୟମ କରିଥିଲେ । ଗତ ଜୁଲାଇ ୧୪ ତାରିଖରେ ନୟାଗଡ ସଦର ଥାନା ଯଦୁପୁର ଗାଁର ୫ ବର୍ଷର ପରି ଗାଁ ଦାଣ୍ଡରେ ଖେଳୁଥିବାବେଳେ କେହି ତାକୁ ଅପହରଣ କରିନେଇଥିଲା ।

ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ହେଲେ ୧୦ଦିନ ପରେ ଏକ ବସ୍ତାରେ ବନ୍ଧା ହୋଇ ପରୀର ଖଣ୍ଡଖଣ୍ଡ ଗଳିତ ମୃତଦେହ ମିଳିଥିଲା । ପୋଲିସ ଏହି ମାମଲାରେ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ଜେରା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ । ଅନ୍ୟ ପକ୍ଷରେ ନ୍ୟାୟ ଦାବି କରି ପରିର ପରିବାର ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ ବାଢିଥିଲେ ।