କନକ ବ୍ୟୁରୋ: ଆଜି ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଉଦୟ ଉମେଶ ଲଳିତ । ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

Advertisment

ଶପଥ ଗ୍ରହଣ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହା ସହ ଜଷ୍ଟିସ୍ ଲଳିତଙ୍କ ପରିବାରର ତିନି ପିଢ଼ି ଉପସ୍ଥିତ ରହିଥିଲେ। ମହାରାଷ୍ଟ୍ରର ଲଳିତ ପରିବାରକୁ ୧୦୨ ବର୍ଷରୁ ଅଧିକ ହେଲାଣି। ଭାରତ ସ୍ବାଧୀନ ହେବାର ବହୁ ଆଗରୁ ଉଦୟ ଉମେଶ ଲଳିତଙ୍କ ଜେଜେ ସୋଲାପୁରରେ ଓକିଲାତି କରୁଥିଲେ।

ତାଙ୍କ ପରିବାରର ତିନି ପିଢ଼ିଙ୍କ ମଧ୍ୟରେ ଅଛନ୍ତି ୯୦ ବର୍ଷିୟ ବାପା ଉମେଶ ରଙ୍ଗନାଥ ଲଳିତ। ନିଜ ରାଜ୍ୟରେ ଦୀର୍ଘ ଦିନ ଧରି ଓକିଲାତି କରିବା ପରେ ସେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

ଦିଲ୍ଲୀରେ ଅପରାଧିକ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିବା ପରେ ସେ ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଡ୍‌ଭୋକେଟ୍‌ ପାହ୍ୟାକୁ ଉତ୍ତୀର୍ଣ୍ଣ ହୋଇଥିଲେ ୟୁ ୟୁ ଲଳିତ। ୨୦୧୪ରେ ତାଙ୍କୁ ସିଧାସଳଖ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।