ସୁପ୍ରିମକୋର୍ଟ ବିଚାରପତିଙ୍କ ବଡ ବୟାନ । ଯଦି କୁନି କୁନି ପିଲା ସକାଳ ୭ଟାରୁ ସ୍କୁଲ ଯାଇପାରୁଛନ୍ତି, ତେବେ ଆମେ କାହିଁକି ଶୀଘ୍ର କାମ ଆରମ୍ଭ କରିପାରିବୁନି? 

1,881

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଦେଖିବାକୁ ମିଳିଲା ଭିନ୍ନ ଏକ ଦୃଶ୍ୟ । ଶୁକ୍ରବାର ସୁପ୍ରିମକୋର୍ଟର ଏକ ବେଞ୍ଚ   ୧ ଘଣ୍ଟା ପୂର୍ବରୁ କାମ ଆରମ୍ଭ କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ବେଞ୍ଚରେ ବିଚାରପତି ଥିବା ୟୁୟୁ ଲଳିତ କହିଛନ୍ତି, ଯଦି ଆମର ପିଲା ସକାଳ ୭ଟାରୁ ଉଠି ସ୍କୁଲ ଯାଇପାରିବେ ତେବେ ଆମେ କାହିଁକି ଶୀଘ୍ର କାମ ଆରମ୍ଭ କରିପାରିବୁ ନାହିଁ । ପ୍ରତିଦିନ ସକାଳ ୧୦ଟା ୩୦ରେ ବେଞ୍ଚ ନିଜର କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ଶୁକ୍ରବାର ୯ଟା ୩୦ରେ ମାମଲାର ଶୁଣାଣି ଆରମ୍ଭ କରିଥିଲେ ।

ବରିଷ୍ଠତା ଦୃଷ୍ଟିରୁ ୟୁୟୁ ଲଳିତ ସୁପ୍ରିମକୋର୍ଟର ଆଗାମୀ ମୁଖ୍ୟ ବିଚାରପତି ପାଇଁ ରେସରେ ସବୁଠୁ ଆଗରେ ରହିଛନ୍ତି । ତାଙ୍କ କହିବା ଅନୁଯାୟୀ, ଆମକୁ ସକାଳ ୯ଟାରୁ କାର୍ଯ୍ୟ ଆରମ୍ଭ କରିବା ଉଚିତ୍ । ଯଦି କୁନି କୁନି ପିଲାମାନେ ସକାଳ ୭ଟାରୁ ସ୍କୁଲ ଯାଇପାରିବେ ତେବେ ଆମେ କାହିଁକି ୯ଟା ସୁଦ୍ଧା କାର୍ଯ୍ୟ ଆରମ୍ଭ କରିପାରିବୁ ନାହିଁ । ଯଦି ଅଦାଲତର କାର୍ଯ୍ୟ ଶୀଘ୍ର ଆରମ୍ଭ ହୁଏ ତେବେ ଶୀଘ୍ର ସରିବ ମଧ୍ୟ । ଯାହାଫଳରେ ବିଚାରପତି ମାନଙ୍କୁ ନୂଆ ମାମଲା ବାବଦରେ ପଢିବାକୁ ଅଧିକ ସମୟ ମିଳିବ ।

ୟୁୟୁ ଲଳିତ କହିଛନ୍ତି, ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ  ନୂଆ ଏବଂ କୌଣସି ମାମଲାର ଶୁଣାଣି ପାଇଁ ଲମ୍ବା ସମୟର ଆବଶ୍ୟକତା ପଡୁନଥିବ । ଏବେ ଏନଭି ରମଣ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରହିଛନ୍ତି । ଯାହାଙ୍କର କାର୍ଯ୍ୟକାଳ ଅଗଷ୍ଟ ୨୬ରେ ଶେଷ ହେବ । ଏହାପରେ ବରିଷ୍ଠତା ଆଧାରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୌଡରେ ବିଚାରପତି ୟ୍ରୁୟୁ ଲଳିତ ରହିଛନ୍ତି । ଯଦି ୟୁୟୁ ଲଳିତଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ୱ ମିଳେ ତେବେ ନଭେମ୍ବର ୮ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ ।