କନକ ବ୍ୟୁରୋ : ଏବେ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନ.ଭି ରମନ୍ନା ଆଗାମୀ ମୁଖ୍ୟ ବିଚାରପତିଙ୍କ ନାମ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିଛନ୍ତି । ସେ ଜଷ୍ଟିସ ୟୁ ୟୁ ଲଳିତଙ୍କ ନାମ ସୁପାରିଶ କରିଛନ୍ତି । ସୁପ୍ରିମକୋର୍ଟର ପରମ୍ପରା ମୁତାବକ ଅବସର ନେବାକୁ ଥିବା ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଆଗାମୀ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ କରିଥାନ୍ତି । କହିରଖୁ କି ଚଳିତମାସ ଅଗଷ୍ଟ ୨୬ ତାରିଖରେ ବର୍ତମାନର ମୁଖ୍ୟବିଚାରପତି ଏନ.ଭି ରମନ୍ନା ଅବସର ନେବାକୁ ଯାଉଛନ୍ତି ।

Advertisment

କହିରଖୁ କି ଜଷ୍ଟିସ ଲଳିତ ମୁସଲମାନ ସଂପ୍ରଦାୟର ତିନ୍ ତଲାକ ଭଳି ପ୍ରଥା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହ ଅନେକ ଐତିହାସିକ ରାୟ ଦେଇ ଚର୍ଚ୍ଚାରେ ଥିଲେ । ୟୁ ୟୁ ଲଳିତ ଏଭଳି ଦ୍ୱିତୀୟ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ଯେ କି ସୁପ୍ରିମକୋର୍ଟ ବାରରୁ ସିଧା ସଳଖ ପଦୋନ୍ନତି ପାଇ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ ଜଷ୍ଟିସ ଏସ ଏମ ଶିକରୀ ୧୯୬୪ ମାର୍ଚ୍ଚ ମାସରେ ଶୀର୍ଷ ଅଦାଲତ ପୀଠରୁ ସିଧା ସଳଖ ପଦୋନ୍ନତି ପାଇଥିବା ପ୍ରଥମ ବିଚାରପତି । ସେ ଜାନୁଆରୀ ୧୯୭୧ ମସିହାରେ ପ୍ରଧାନ ବିଚାରପତି ଭାବେ ମନୋନ୍ନିତ ହୋଇଥିଲେ ।

ଜଷ୍ଟିସ ୟୁ ୟୁ ଲଳିତ ବର୍ତମାନ ପ୍ରଧାନ ବିଚାରପତି ଥିବା ଜଷ୍ଟିସ ଏନ.ଭି ରମନ୍ନା ଅବସର ନେବାର ଗୋଟିଏ ଦିନ ପରେ ଅର୍ଥାତ ଅଗଷ୍ଟ ୨୭ ତାରିଖରେ ପ୍ରଧାନବିଚାରପତି ଭାବେ ଶପଥ ନେଇ ପାରନ୍ତି । କହିରଖୁ କି ଜଷ୍ଟିସ ଲଳିତଙ୍କୁ ୨୦୧୪ ଅଗଷ୍ଟ ୧୩ ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥଲା ।