ଆଜି ଶପଥ ନେବେ ଜଷ୍ଟିସ ଏସଏ ବୋବଡେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୋବଡେଙ୍କୁ କରାଇବେ ଶପଥ ପାଠ

193

କନକ ବ୍ୟୁରୋ : ଦେଶର ପ୍ରଧାନ ବିଚାରପତି ଭାବରେ ଆଜି ଶପଥ ନେବେ ଜଷ୍ଟିସ ଏସଏ ବୋବଡେ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥପାଠ କରାଇବାର କାର୍ଯ୍ୟକ୍ରମ ରହିଛି । ତେବେ ଦେଶର ମୁଖ୍ୟ ବିଚାପତି ଭାବେ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି । ଏଣୁ ତାଙ୍କ ସ୍ଥାନରେ ଆଜି ଜଷ୍ଟିସ ଏସ.ଏ. ବୋବଡେ ୪୭ତମ ଭାବେ ଦେଶର କାର୍ଯ୍ୟଭାର ଗ୍ରହଣ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ବୋବଡେଙ୍କ କାର୍ଯ୍ୟକାଳ ପାଖାପାଖି ୧୭ ମାସ ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ବିଚାରପତି ଥିଲେ । ଏହା ପୂର୍ବରୁ ସେ ମଧ୍ୟପ୍ରଦଶର ମୁଖ୍ୟ ବିଚାରପତି ମଧ୍ୟ ଥିଲେ ।

source : the hindustan times

ଜଷ୍ଟିସ ଏସ.ଏ. ବୋବଡେଙ୍କ ପୂରା ନାମ ହେଲା ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ । ୧୯୫୬ ମସିହା ଏପ୍ରିଲ୨୪ ତାରିଖରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମ ହୋଇଥଲେ । ସେଣ୍ଟ ଫ୍ରାନ୍ସସ୍ ଜିସେଲ୍ସ କଲେଜରୁ ସ୍ନାତକ ଉତ୍ତୀର୍ଣ୍ଣ ହେବାପରେ ନାଗପୁର ବିଶ୍ଵବିଦ୍ୟାଳୟରୁ ଏଲ.ଏଲବି ଡିଗ୍ରୀ ହାସଲ କରିଥିଲେ । ୧୯୭୮ମସିହାରେ ମହାରାଷ୍ଟ୍ରର ବାର କାଉନସିଲ ସହ ଯୋଡ଼ି ହୋଇଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଓକିଲାତି କରୁଥିଲେ । ୧୯୯୮ ମସିହାରେ ତାଙ୍କୁ ବରିଷ୍ଠ ଓକିଲ ଭାବେ ସ୍ଵୀକୃତି ମିଳିଥିଲା ।

୨୦୦୦ ମସିହାରେ ତାଙ୍କୁ ବମ୍ବେ ହାଇକୋର୍ଟର ଆଡିଶନାଲ୍ ଜଜ୍ ଭାବେ ନିଯୁକ୍ତ କରାଯାଇଥିଲା । ଏହିଠାରୁ ଆରମ୍ଭ ହୋଇଥିଲା ଜଷ୍ଟିସ ବୋବଡେଙ୍କ ବିଚାରପତି ଜୀବନ । ୨୦୧୨ ମସିହାରେ ଜଷ୍ଟିସ ବୋବଡେ ମଧ୍ୟ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ବେଳେ ୨୦୧୩ ମସିହାରେ ତାଙ୍କୁ ସୁପ୍ରିମକୋର୍ଟରେ ଜଜ୍ ଭାବେ ପଦୋନ୍ନତି ମିଳିଥିଲା । ସୁପ୍ରମକୋର୍ଟର ବିଚାରପତି ଥିବା ବେଳେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମୋକଦ୍ଦମାର ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି । ତାଙ୍କ ପଦତ୍ତ ରାୟ ମଧ୍ୟରେ ଆଧାର ମାମଲା ଅନ୍ୟତମ।