ନାବାଳିକା ପୀଡିତାକୁ ବିବାହ ପ୍ରସ୍ତାବ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସ୍ପଷ୍ଟୀକରଣ । କହିଲେ ସେଭଳି କୌଣସି ପ୍ରସ୍ତାବ ଦେଇନଥିଲେ ଖଣ୍ଡପୀଠ ।

124

କନକ ବ୍ୟୁରୋ: ବଳାତ୍କାରର ଶିକାର ହୋଇଥିବା ପୀଡିତାଙ୍କୁ ବିବାହ କରିବାକୁ, କୌଣସି ବଳାକ୍ରାରୀଙ୍କୁ ମୁଁ କେବେ ବି କହିନାହିଁ । ଆଜି ଏନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ । ଏକ ବଳାକ୍ରାର ମାମଲାରେ ଅଭିଯୁକ୍ତର ଜାମିନ ଶୁଣାଣି ସମୟରେ ଏକ ରାୟକୁ ନେଇ ବିବାଦ ସୃଷ୍ଟି ହେବା ପରେ, ଆଜି ଏ ନେଇ ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ଏହା ସହିତ ଏକ ଅନୁଷ୍ଠାନ ଭାବେ ସୁପ୍ରିମକୋର୍ଟର ନାରୀ ସମାଜ ପ୍ରତି ସବୁଠାରୁ ଅଧିକ ସମ୍ମାନ ରହିଛି ବୋଲି କହିଛନ୍ତି ।

ଆଜି ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠରେ ଗର୍ଭବତୀ ହୋଇଥିବା ଜନୈକା ବଳାକ୍ରାର ପୀଡିତାଙ୍କ ଗର୍ଭସ୍ଥ ଶିଶୁର ଗର୍ଭପାତ କରାଇବାକୁ ଏକ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏହି ସ୍ପଷ୍ଟୀକରଣ ରଖିଥିଲେ । ପୂର୍ବ ମାମଲା ସମ୍ପର୍କରେ ଉଲ୍ଲେଖ କରି ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି, ଏପରିକି ଶେଷ ଘଟଣାରେ ମଧ୍ୟ ଆମମାନଙ୍କ ମଧ୍ୟରୁ କୌଣସି ପ୍ରସ୍ତାବ ନଥିଲା ଯେ ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବା ଉଚିତ । କାରଣ ଆମ ଆଗରେ କୌଣସି ବୈବାହିକ ବଳାକ୍ରାର ମାମଲା ନଥିବାରୁ ଆମେ ଏହାକୁ ଯାଂଚ କରିଥିଲୁ । ମହିଳାଙ୍କ ପ୍ରତି ଆମର ସର୍ବୋଚ୍ଚ ସମ୍ମାନ ରହିଛି ।

ଏଠାରେ ସୂଚନା ଦିଆଯାଇପାରେ, ପୂର୍ବରୁ ମାର୍ଚ୍ଚ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେଙ୍କ ନେତୃତ୍ୱରେ ଜଷ୍ଟିସ୍ ବୋପନ୍ନା ଓ ଜଷ୍ଟିସ୍ ଆର ସୁବ୍ରମଣ୍ୟନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏକ ବଳାକ୍ରାର ମାମଲାରେ ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ଉତ୍ପାଦନ କମ୍ପାନୀରେ ଟେକନିସିଆର ଭାବେ କାମ କରୁଥିବା ଜନୈକ ଅଭିଯୁକ୍ତ ବଳାକ୍ରାରୀର ଜାମିନ ଆବେଦନ ଉପରେ ଶୁଣାଣି କରୁଥିଲେ । ଏହି ଖଣ୍ଡପୀଠ ଅଭିଯୁକ୍ତକୁ ପଚାରିଥିଲା, ଆପଣ ତାଙ୍କୁ ବିବାହ କରିବାକୁ ପ୍ରସ୍ତୁତ କି? ଯଦି ଆପଣ ତାଙ୍କୁ ବିବାହ କରିବାକୁ ଇଛୁକ ତେବେ ଆମେ ଏହାକୁ ବିଚାର କରିପାରିବା, ନଚେତ୍ ଆପଣ ଜେଲ ଯିବେ । ପୁଣି ଖଣ୍ଡପୀଠ କହିଥିଲେ ଆମେ ଆପଣଙ୍କୁ ବିବାହ କରିବାକୁ ବାଧ୍ୟ କରୁନାହୁଁ । ଅଭିଯୁକ୍ତଙ୍କ ଓକିଲ ଖଣ୍ଡପୀଠଙ୍କୁ କହିଥିଲେ ପ୍ରଥମେ ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବାକୁ ରାଜିଥିଲା, ପରେ ସେ ମନା କରି ଦେଇଥିଲା ।