ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ! ଜଷ୍ଟିସ ରଘୁବୀର ଦାସ ବିଚାର ବିଭାଗୀୟ ତଦନ୍ତ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ।

49

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ । ଗତ ସୋମବାର ଦିନ ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଜଷ୍ଟିସ ରଘୁବୀର ଦାସ ହେଉଛନ୍ତି ଓଡିଶା ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି । ସେ ହାଇକୋର୍ଟରେ ୨୦୧୩ ମସିହାରୁ ୨୦୧୬ ପର୍ଯ୍ୟନ୍ତ ବିଚାରପତି ଦାୟିତ୍ୱ ତୁଲାଇଛନ୍ତି ।
ବିଗତ କିଛି ଦିନ ହେବ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି । ଏହାସହ ଅନେକ ସଂଗଠନ ପକ୍ଷରୁ ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଏତଲା ମଧ୍ୟ ଦିଆଯାଇଛି । ଶେଷ ଥର ପାଇଁ ୧୯୮୫ ମସିହାରେ ଖୋଲା ଯାଇଥିବା ରତ୍ନ ଭଣ୍ଡାରର ଚାବି ବର୍ତ୍ତମାନ କାହା ପାଖରେ ଅଛି । ସେନେଇ କୌଣସି ତଥ୍ୟ ରାଜ୍ୟ ସରକାର କି ଶ୍ରୀମନ୍ଦିର ପରିଚାଳନା କମିଟି ପାଖରେ ନଥିବା ସ୍ପଷ୍ଟ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନ ବିଚାର ବିଭାଗୀୟ ତଦନ୍ତ ଭାର ସମ୍ଭାଳିବେ ଜଷ୍ଟିସ ରଘୁବୀର ଦାସ । ୨୦୦୧ ମସିହାରୁ ଜଷ୍ଟିସ ଦାସ ଜିଲ୍ଲା ଜଜ୍ କ୍ୟାଡରକୁ ପଦୋନ୍ନତି ପାଇବା ପରେ , ପୁରୀ ଅତିରିକ୍ତ ଜିଲ୍ଲା ଜଜ୍ ଏବଂ ସେସନ ଜଜ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତେବେ ୩ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଜଷ୍ଟିସ ଦାସଙ୍କ ଦକ୍ଷତାକୁ ଅବଗତ ହୋଇ ତାଙ୍କୁ କମିଶନ ଦାୟିତ୍ୱ ଦିଆଯାଇଥିବା ସ୍ପଷ୍ଟ ହେଉଛି । ବର୍ତ୍ତମାନ ରତ୍ନ ଭଣ୍ଡାର ଚାବି ବିଷୟରେ ଖୁବ ଶୀଘ୍ର ତଦନ୍ତର ଫଳାଫଳ ଆସିବ ବୋଲି ଜଗନ୍ନାଥ ପ୍ରେମୀ ଏବଂ ସମଗ୍ର ରାଜ୍ୟବାସୀ ଆଶା ପ୍ରକଟ କରୁଛନ୍ତି ।