ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏନ୍ ଭି ରମନା । ଶପଥପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

823

କନକ ବ୍ୟୁରୋ : ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍ ଏନ୍ ଭି ରମନା । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥପାଠ କରାଇଛନ୍ତି । ସେ ଆଜିଠାରୁ ୨୦୨୨ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି    ।
କହିରଖୁ କି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏସ ଏ ବୋବଡେ ଗତକାଲି ଅବସର ଗ୍ରହଣ କରିବା ପରେ ଆଜି ମୁଖ୍ୟ ବିଚାରପତି ଭାବେ ନବ ନିଯୁକ୍ତ ହୋଇଥିବା ଜଷ୍ଟିସ ଏନ ଭି ରମନା ଶପଥ ଗ୍ରହଣ କରିଛନ୍ତି ।

ସୂଚନା ଥାଉକି ଜଷ୍ଟିସ୍ ଏନ ଭି ରମନା ୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପଦେଶର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଛାତ୍ର ଜୀବନରେ ଶିଳ୍ପ ଓ କୃଷିପ୍ରତି ଆଗ୍ରହ ପ୍ରକାଶ କରୁଥିବା ବେଳେ ଶିକ୍ଷାପରେ ସେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଏକ ତେଲୁଗୁ ଖବର କାଗଜରେ କାମ କରୁଥିଲେ । ଏହାପରେ ସେ ଓକିଲାତି ପଢି ପ୍ରଥମେ ୧୯୮୩ ମସିହା ଏପ୍ରିଲ ୧୦ ତାରିଖରେ ଆନ୍ଧ୍ର ହାଇକୋର୍ଟରେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୦ ମସିହା ଜୁନ ୨୭ ତାରିଖରେ ଆନ୍ଧ୍ର ହାଇକୋର୍ଟରେ ସ୍ଥାୟୀ ଜଜ୍ ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ଦିଲ୍ଲୀ ହାଇକୋର୍ଟ ଓ ୨୦୧୪ ମସିହା ଫେବୃଆରୀ ୧୭ ତାରିଖରେ ସୁପ୍ରିମକୋର୍ଟର ଜଜ୍ ଭାବେ ନିଯୁକ୍ତ ହୋଇଥିଲେ ।