ଦେଶର ନୂଆ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନ.ଭି.ରମଣା : ଉତ୍ତରାଧିକାରୀ ଭାବେ ନାଁ ସୁପାରିଶ କଲେ ବର୍ତ୍ତମାନର ପ୍ରଧାନ ବିଚାରପତି

ଏପ୍ରିଲ ୨୩ରେ ଅବସର ନେଉଛନ୍ତି ଏସ.ଏ.ବୋବଡେ

91

କନକ ବ୍ୟୁରୋ : ଜଷ୍ଟିସ ଏନ ଭି ରମଣା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ଆସନ୍ତା ଅପ୍ରିଲ ୨୩ ତାରିଖରେ ପ୍ରଧାନ ବିଚାରପତି ଏସ ଏ ବୋବଡେ ଅବସର ନେଉଥିବାରୁ ଏହା ପୂର୍ବରୁ ସେ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଏନ ଭି ରମଣାଙ୍କ ନାମ ସୁପାରିଶ କରିଛନ୍ତି ।

ଗତ ସପ୍ତାହରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରଧାନ ବିଚାରପତି ବୋବଡେଙ୍କୁ ଚିଠି ଲେଖି ଉତରାଧିକାରୀଙ୍କ ନାମ ସୁପାରିଶ କରିବା ପାଇଁ କହିଥିଲେ । ସରକାରଙ୍କ ପାଖକୁ ସୁପାରିଶ ପତ୍ର ପଠାଇବା ପୂର୍ବରୁ ପ୍ରଧାନ ବିଚାରପତି ବୋବଡେ, ଜଷ୍ଟିସ ଏନଭି ରମଣାଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗକୁ ଖାରଜ କରିଦେଇଛନ୍ତି । ବୋବଡେଙ୍କ ପରେ ଜଷ୍ଟିସ ଏନଭି ରମଣା ହେଉଛନ୍ତି ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ।

ସେ ସୁପ୍ରିମକୋର୍ଟର ୪୮ତମ ପ୍ରଧାନ ବିଚରାପତି ହେବେ ଏବଂ ଏପ୍ରିଲ ୨୪ରେ କାର୍ଯ୍ୟଭାର ଗ୍ରହଣ କରିବେ । ୧୯୫୭ ଅଗଷ୍ଟ ୨୭ରେ ଆନ୍ଧ୍ରପ୍ରଦେଶରେ ଜନ୍ମ ନେଇଥିବା ଜଷ୍ଟିସ ରମଣାଙ୍କ କାର୍ଯ୍ୟକାଳ ୨୦୨୨ ଅଗଷ୍ଟ ୨୬ରେ ଶେଷ ହେବ । ବୋବଡେ ୨୦୧୯ ନଭେମ୍ବରରେ ଦେଶର ୪୭ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।