ଜଷ୍ଟିସ୍ ଗୋପାଳବଲ୍ଲଭ ପଟ୍ଟନାୟକଙ୍କ ‘ମନେଅଛି ଯେତିକି’ ଲୋକାର୍ପିତ

82

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଆତ୍ମଜୀବନୀ ‘ମନେ ଅଛି ଯେତିକି’ ପୁସ୍ତକ ଉନ୍ମୋଚିତ ହୋଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ‘ସେଭେନ୍ ପିଲାର୍ସ’ ସଭା କକ୍ଷରେ ଏହି ପୁସ୍ତକ ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ. ମୁରଲୀଧର, ପୂର୍ବତନ ବିଚାରପତି ଅରୁଣ ପରିଚ୍ଛା, ଅନନ୍ତ ମହାପାତ୍ର ଏବଂ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ କହିଛନ୍ତି, ରାଜନୈତିକ ଇଚ୍ଛାଶକ୍ତି ଓ ଲବିର ଅଭାବ ଯୋଗୁଁ ଓଡ଼ିଶାରୁ ଏବେ କେହି ସୁପ୍ରିମକୋର୍ଟକୁ ଯାଇ ପାରୁନାହାନ୍ତି । ସେ ଜୀବନରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ପରିସ୍ଥିତି ପାଇଁ ଓକିଲାତି ବୃତ୍ତିରେ ଯୋଗ ଦେଇଥିଲେ । ତାଙ୍କ ଜୀବନରେ ଦୁଇ ଜଣ ଗୁରୁ ଜଷ୍ଟିସ୍ ବିମଳ ପାଲ୍‌ ଓ ଜଷ୍ଟିସ୍ ବି.ଏମ୍. ପଟ୍ଟନାୟକଙ୍କ ପାଇଁ ସେ ଆଇନବୃତ୍ତିରେ ସଫଳତାର ଶୀର୍ଷ ଛୁଇଁଥିଲେ । କିନ୍ତୁ ୧୯୭୧ରେ ତାଙ୍କ ନାମ ଯେତେବେଳେ ବିଚାରପତି ପଦ ପାଇଁ ସୁପାରିସ ହୋଇଥିଲା, ସେ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ପାଖରେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ହୋଇଥିଲା ।

ସୁପ୍ରିମ କୋର୍ଟରେ ବିଚାରପତି ପଦ ପାଇଁ ଅନ୍ୟ ରାଜ୍ୟରେ ‌ଲବି ଜୋରଦାର ହେଉଥିବା ବେଳେ ଓଡ଼ିଶାରେ ଏପରି ହେଉ ନଥିବା ଜଷ୍ଟିସ୍ ପଟ୍ଟନାୟକ ‌କ୍ଷୋଭପ୍ରକାଶ କରିଥିଲେ । ‌ଜଷ୍ଟିସ୍ ପଟ୍ଟନାୟକ କହିଥିଲେ ଯେ ଲୋକପ୍ରିୟ ସରକାର ଯେ ନିହାତି ସୁଶାସନ ଦେବ, ସେମିତି ମାନେ ନାହିଁ । ନୋଟ୍‌ ବନ୍ଦି ନିଷ୍ପତ୍ତି ହେଉ କି କୋଭିଡ୍‌ର କୁପରିଚାଳନା ହେଉ କି ଦରଦାମ୍ ବୃଦ୍ଧି -ଏହାର ପ୍ରଭାବ ନାଗରିକଙ୍କ ଉପରେ ପଡିଛି । ନାଗରିକମାନଙ୍କୁ ଉତ୍ତମ ଖାଦ୍ୟ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଆଦି ସେବା ମିଳିବା ହେଉଛି ବାସ୍ତବ ସୁଶାସନ । ଜଷ୍ଟିସ ପଟ୍ଟନାୟକ କହିଥିଲେ ଯେ ଓକିଲଙ୍କୁ ମାଡ଼ ହେଲେ ଏକଜୁଟ୍ ହୋଇ ଜୋରଦାର ପ୍ରତିବାଦ କରାଯାଉଛି । କିନ୍ତୁ ଓଡ଼ିଶାର ଆଇନଜୀବୀଙ୍କୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ ସେଭଳି ସୁଯୋଗ ମିଳୁ ନଥିଲେ ବି ସେଭଳି ଜୋରଦାର ପ୍ରତିବାଦ ଅଥବା ଦାବି ହେଉ ନାହିଁ ।

ଏହି ଅବସରରେ ‘ସମ୍ବାଦ’ର ସଂପାଦକ, ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଆତ୍ମଜୀବନୀ କେବଳ ସାହିତ୍ୟର ଏକ ବିଭାଗ ନୁହେଁ, ଏହା ସମକାଳୀନ ଇତିହାସର ଏକ ଅଭିନ୍ନ ଅଂଶ । ତେଣୁ ସଫଳ ଲୋକଙ୍କର ଆତ୍ମଜୀବନୀ ଅଧିକରୁ ଅଧିକ ପ୍ରକାଶ ପାଇବା ଆବଶ୍ୟକ । ଜଷ୍ଟିସ୍ ପଟ୍ଟନାୟକ ପ୍ରବଳ ଈଶ୍ବର ବିଶ୍ବାସୀ ଓ କର୍ତ୍ତବ୍ୟନିଷ୍ଠ ହୋଇଥିବାରୁ ଏତେ ମାତ୍ରାରେ ସଫଳ ହୋଇଥିଲେ । ତାଙ୍କ ଜୀବନୀରୁ ଅନେକ କଥା ଶିଖିବାର ରହିଛି । ଓକିଲାତି ଏକ ଭଲ ବୃତ୍ତି ଓ ବିନା ଧର୍ମ ବାପାରେ ଏହି ବୃତ୍ତିରେ ସଫଳତା ମିଳିପାରେ ବୋଲି ଜଷ୍ଟିସ୍ ପଟ୍ଟନାୟକ ପ୍ରମାଣିତ କରିଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଓଡ଼ିଶା ରାଜ୍ୟର ବିଭିନ୍ନ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଥିବା ଅନନ୍ୟ ଏକତା ଓ ଭାଇଚାରା ବି‌ଷୟରେ କହିଥ‌ିଲେ । ସାରା ଭାରତ ଓଡ଼ିଶାକୁ ଉଦାହରଣ ଭାବେ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ ।