ତାରିଖ ପେ ତାରିଖ, ତାରିଖ ପେ ତାରିଖ? କାହିଁକି ବିଳମ୍ବ ହେଉଛି ନ୍ୟାୟ?

186

କନକ ବ୍ୟୁରୋ : ତାରିଖ ପେ ତାରିଖ, ତାରିଖ ପେ ତାରିଖ । ବଲିଉଡ ଫିଲ୍ମ ‘ଦାମିନୀ’ରେ ସନ୍ନି ଦେଓଲଙ୍କ ଏହି ଡାଇଲଗ କାହାକୁ ବା ଅଜଣା । ସାଧାରଣତଃ ନ୍ୟାୟ ବିଳମ୍ବିତ ହେଲେ ଲୋକଙ୍କ ମୁହଁରେ ଆପଣାଛାଏଁ ଏହି ଡାଇଲଗ ଚାଲିଆସେ । କିନ୍ତୁ ଆମ ନ୍ୟାୟ ବ୍ୟବସ୍ଥାର ବାସ୍ତବ ଚିତ୍ର ମଧ୍ୟ କିଛି ସେମିତି । ସେଥିପାଇଁ ତ ଲୋକେ କୁହନ୍ତି, କାହା ସହ ଲଢିବାର ନାହିଁ କି କୋର୍ଟ କଚେରୀ ଯିବାର ନାହିଁ । କାରଣ କୋର୍ଟକୁ କୌଣସି ମାମଲା ଥରେ ଗଲେ ତାହାର ରାୟ ନ ଆସିବା ପର୍ଯ୍ୟନ୍ତ କୋର୍ଟକୁ ଦୌଡିବାକୁ ପଡିଥାଏ । କୋର୍ଟରେ ଲକ୍ଷ ଲକ୍ଷ ମାମଲା ପଡି ରହିଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଯେଉଁଥିପାଇଁ କୌଣସି ମାମଲାରେ ରାୟ ଆସିବାରେ ବିଳମ୍ବ ହୋଇଥାଏ । ଆଉ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ମଧ୍ୟ ସମାନ ଅବସ୍ଥା । ତେବେ ରାଜ୍ୟର ଉଚ୍ଚ ନ୍ୟାୟାଳରେ କେତୋଟି ମାମଲା ବିଚାରଧିନ ରହିଛି ଓ ଗତ ୩ ବର୍ଷ ମଧ୍ୟରେ କେତୋଟି ମାମଲାର ଫଇସଲା ହୋଇଛି ଏବଂ ବଳକା ମାମଲା ଗୁଡିକର ଆଶୁ ଫଇସଲା ପାଇଁ କି ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଉତ୍ତା ଜାଣିବାକୁ ଚାହିଁଥିଲେ ବିଧାୟକ ପ୍ରଶାନ୍ତ ବେହେରା ।

ଗୃହରେ ଆଇନ ମନ୍ତ୍ରୀ ରଖିଥିବା ଲିଖିତ ଉତ୍ତରରେ କହିଛନ୍ତି, ଏବେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟରେ ସର୍ବମୋଟ ୧୭୫୯୭୬ଟି ମାମଲା ବିଚାରାଧୀନ ରହିଛି । ଏହାଛଡା ଗତ ୩ ବର୍ଷ ମଧ୍ୟରେ ୨୧୭୭୯୫ଟି ମାମଲାର ଫଇସଲା ହୋଇଛି । ବକେୟା ମାମଲା ଗୁଡିକର ଫଇସଲା ନିମନ୍ତେ ଉଚ୍ଚ ନ୍ୟାୟାଳୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଗତ ୩ ବର୍ଷ ମଧ୍ୟରେ ପ୍ରତି ମାମଲାର ଯେଉଁଭଳି ତ୍ୱରିତ୍ୱ ଶୁଣାଣି କରାଯାଉଛି, ତାହାକୁ ଦେଖିଲେ ଆସନ୍ତା କିଛି ବର୍ଷ ମଧ୍ୟରେ ନ୍ୟାୟ ପାଇବାକୁ ଆଉ ଲୋକଙ୍କୁ ବାରମ୍ବାର କୋର୍ଟ ଦୌଡିବାକୁ ପଡିବନି ।