କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବା ପରେ କନକନ୍ୟୁଜ ଆଗରେ ନିଜ ଅନୁଭୂତି ବଖାଣିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ସେଦିନ କିଭଳି ଥିଲା ପରସ୍ଥିତି ସେକଥା କନକ ନ୍ୟୁଜ ଆଗରେ କହିଛନ୍ତି।

Advertisment

ଜଷ୍ଟିସ ରଥ କହିଛନ୍ତି, ‘ରତ୍ନଭଣ୍ଡାର ପାଇଁ ପୂର୍ବରୁ ବି କମିଟି ଗଠନ ହୋଇଥିଲା ସରକାର ବି ଥିଲା ହେଲେ କେଉଁ ସରକାର କେଉଁ କମିଟି କାହା ଦ୍ଵାରା ରତ୍ନଭଣ୍ଡାର ଖୋଲିବା ତାହା ପ୍ରଭୁଙ୍କ ଇଚ୍ଛା। ତେଣୁ ରତ୍ନଭଣ୍ଡାର ଖୋଲିବା ବେଳେ ଆପଣ ଦେଖନ୍ତୁ ପୂର୍ବ ସରକାର ପୂର୍ବ କମିଟି ସବୁ ବଦଳି ଯାଇଛି। ଭଣ୍ଡାର ଖୋଲି ସାରିଛି ଏବେ ପ୍ରଥମେ ଏହାର ମରାମତି ରକ୍ଷଣାବେକ୍ଷଣ କାମ ହେବ। ପରେ ହେବ ଗଣତି ମଣତି। ଭଣ୍ଡାର ଘର ବ୍ୟତୀତ ଅନ୍ୟ କେଉଁଠାରେ ଗଣତି ହେଲେ ସାଧାରଣ ଲୋକଙ୍କ ନଜର ସେଥିରେ ପଡିବ ଯାହାକି ଠିକ୍ ହେବ ନାହିଁ। ବହୁ ପୁରାତନ ମନ୍ଦିର ଗୃହ ତେଣୁ ସାଧରଣ ଗୃହ ଭଳି ନୁହଁ ଅତି ଯତ୍ନବାନ୍ ଭାବେ ଏହାର ମରାମତି ଆବଶ୍ୟକ’।

‘ଏହା ବ୍ୟତୀତ ରତ୍ନଭଣ୍ଡାର ଭିତରେ ପାଚେରି ଫାଟିଛି ଚଟାଣ ଦୁର୍ବଳ ହୋଇଛି ଛାତ ପାଚେରି ଆଁ କରିଛି। ସେଥିପାଇଁ ଆମେ ଭିତରକୁ ଗଲାବେଳେ ବିପଦ ଆଶଙ୍କା କରି ମୁଣ୍ଡରେ ସେଫଟି ହେଲମେଟ ପିନ୍ଧିଥିଲୁ। ବିଶ୍ୱନାଥ ରଥ ଆହୁରି ମଧ୍ୟ କହିଛନ୍ତି, ଠାକୁର ନ ଥିଲା ବେଳେ ଭଣ୍ଡାର ଖୋଲାଯିବା ଠିକ୍ ନାହିଁ ବୋଲି ଯେଉଁ ଆଲୋଚନା ହେଉଛି ତାହା ଠିକ୍ ନୁହଁ। ଘର ର ମାଲିକାଣି ଲକ୍ଷ୍ମୀ ଠାକୁରାଣୀ। ତେଣୁ ତାଙ୍କ ଉପସ୍ଥିତିରେ ହିଁ ଖୋଲାଯାଇଛି ଭଣ୍ଡାର। ଏକ ସପ୍ତାହ ପରେ ଆଉ ଏକ ବୈଠକ ବସିବ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ’।