ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ପଶିଗଲା ପାଣି : ଜୁନିଅର ହକି ବିଶ୍ୱକପ୍ ମ୍ୟାଚର ସମୟ ପରିବର୍ତ୍ତନ

149

କନକ ବ୍ୟୁରୋ : ଜୱାଦ ପ୍ରଭାବରେ ବର୍ଷା ଯୋଗୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ୍ ମ୍ୟାଚ୍ ପ୍ରଭାବିତ ହୋଇଛି । ଆଜି ଦିନ ୧୦ଟା ୩୦ରେ ଆରମ୍ଭ ହେବାକୁ ଥିବା ମ୍ୟାଚ୍ ୧୧ ଟା ୧୬ରେ ଆରମ୍ଭ ହେବ । ସପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ସ୍ପେନ୍ ଓ ମାଲେସିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଭୁବନେଶ୍ୱରରେ ପ୍ରବଳ ବର୍ଷା ଯୋଗୁ କଳିଙ୍ଗ ଷ୍ଟାଡିୟମର ହକି ଟର୍ଫରେ ପାଣି ଜମି ରହିଥିଲା । ପାଣି ବାହାର କରାଯିବା ପରେ ୧୧ଟା ୧୬ରେ ମ୍ୟାଚ୍ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ହକିପ୍ରେମୀଙ୍କ ସବୁ ନଜର ଗତଥରର ବିଜେତା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ-ଚତୁର୍ଥ ସ୍ଥାନ ମ୍ୟାଚ୍ ଉପରେ ରହିବ। ଉତ୍ସାହୀ ଫ୍ରାନ୍ସ ଚମତ୍କାର ହକି ଖେଳି ସେମିଫାଇନାଲ୍‌ରେ ପ୍ରବେଶ କରିବା ପରେ ସେଠାରେ ଆର୍ଜେଣ୍ଟିନାଠାରୁ ହାରିଥିଲା । ଅନ୍ୟପକ୍ଷରେ ଭାରତ ଫାଇନାଲିଷ୍ଟ ଜର୍ମାନିଠାରୁ ୨-୪ ଗୋଲ୍‌ରେ ହାରି ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲା । ପ୍ରତିଯୋଗିତାର ପ୍ରଦର୍ଶନକୁ ତର୍ଜମା କଲେ କିନ୍ତୁ ରବିବାର ମୁକାବିଲାରେ ଫ୍ରାନ୍ସ ଅପେକ୍ଷା ଭାରତ ଟିକିଏ ଅଧିକ ଚାପରେ ରହିବ। କାରଣ ପ୍ରତିଯୋଗିତାର ଉଦ୍‌ଘାଟନୀ ଦିବସରେ ଫ୍ରାନ୍ସ ୫-୪ ଗୋଲ୍‌ରେ ଭାରତକୁ ହରାଇ ଅଭିଯାନ ଆରମ୍ଭ କରିଥିଲା ।

ଆୟୋଜକ ଭାରତ ପ୍ରଥମ ଥର ପାଇଁ ୨୦୦୧ରେ ବିଜେତା ହୋଇଥିଲା । ୧୫ ବର୍ଷ ପରେ ଘରୋଇ ପରିବେଶରେ ଲକ୍ଷ୍ନୌଠାରେ ଏହି ସଫଳତାକୁ ‌ ଦୋହରାଇଥିଲା । ଅନ୍ୟପକ୍ଷରେ ୨୦୧୩ ମସିହାରେ ଉପବିଜେତା ହେବା କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ଫ୍ରାନ୍ସର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହି ଆସିଛି । ଭାରତ ଶେଷ ଥର ପାଇଁ ୨୦୦୫ ମସିହାରେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଲଢ଼ି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା । ଏଥର କିନ୍ତୁ ଫ୍ରାନ୍ସଠାରୁ ମଧୁର ପ୍ରତିଶୋଧ ସହ ଅନ୍ତତଃ ତୃତୀୟ ସ୍ଥାନରେ ରହିବ ବୋଲି ସମର୍ଥକ ଆଶା ରଖିଛନ୍ତି ।

ନାନା ଘାତ ପ୍ରତିଘାତ, ପ୍ରତିକୂଳ ପାଗ ଏବଂ କରୋନା ଆତଙ୍କର ଭୟ ଭିତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଚଳିତ କନିଷ୍ଠ ହକି ବିଶ୍ବକପ୍‌ର ଉଦ୍‌ଯାପନୀ ଦିବସର ଅପରାହ୍ନ ୪ଟା ୩୦ରେ ଭାରତ-ଫ୍ରାନ୍ସ ଏବଂ ରାତି ୭ଟା ୩୦ରେ ଜର୍ମାନି-ଆର୍ଜେଣ୍ଟିନା ମ୍ୟାଚ୍ ଖେଳାଯିବ । ବାତ୍ୟା ଜୱାଦ କ୍ରମଶଃ ଦୁର୍ବଳ ହେଉଥିବାରୁ ରବିବାର ଦୁଇଟି ଯାକ ମ୍ୟାଚ୍ ବିନା ବ୍ୟାଘାତରେ ଖେଳାଯିବାର ସମ୍ଭାବନା ହକି ପ୍ରଶଂସକଙ୍କୁ ଉଲ୍ଲସିତ କରିଛି ।