କନକ ବ୍ୟୁରୋ : କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି, ତାହା ଜାଣିବା ପାଇଁ ଓସେଫା ଅଫିସ ସାମ୍ନାରେ ଭିଡ଼ ଜମିଛି । କାହାର କେତେ ମାର୍କ ରହିଛି ଜାଣିବା ପାଇଁ ଆରଟିଆଇରେ ଆବେଦନ କରିବାକୁ ଚାହୁଁଛନ୍ତି ପରୀକ୍ଷାର୍ଥୀ । ୨୦ ହଜାର ପଦବୀ ପାଇଁ ଆବେଦନ କରିଥିଲେ ୯୩ ହଜାର ପରୀକ୍ଷାର୍ଥୀ । ପରୀକ୍ଷା ପରେ ମାତ୍ର ୧୮ ହଜାର ଯୋଗ୍ୟ ବିବେଚିତ ।
ଆସନ୍ତା ୨୦ ଓ ୨୧ ତାରିଖରେ ଡକ୍ୟୁମେଂଟ ଭେରିଫିକେସନ୍ ଥିବା ବେଳେ କେଉଁ ଆଧାରରେ ନିଯୁକ୍ତି ଦିଆଯାଇଛି, ନଜଣାଇଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି ଚାକିରି ଆଶାୟୀ ।
ଏପରିକି ବିନା ଯାଂଚରେ ପରୀକ୍ଷା ପାଇଁ ଆଡମିଟକାର୍ଡ ଦିଆଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଓସେପା ଅଫିସ ଆଗରେ ପିଲାଙ୍କ ଭିଡ଼ ପରେ ୫ ଜଣିଆ ପ୍ରତିନିଧି ଦଳ ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ସେଥିରେ କୌଣସି ସୁଫଳ ନପାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଓସେପା ଅଫିସରୁ ଲମ୍ବାଲାଇନରେ ଯାଇଥିଲେ ପରୀକ୍ଷାର୍ଥୀ । ଡିସିପି ପ୍ରତୀକ ସିଂ ସେମାନଙ୍କ ସହ ଆଲୋଚନା କରିବା ପରେ ସ୍କୁଲ ଓ ଗଣଣିକ୍ଷା ସଚିବଙ୍କ ଏକ ଟିମ୍ ଏ ସଂପର୍କରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଲୋୟର ପିଏମଜିରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଚାକିରି ଆଶାୟୀ ।