କନକ ବ୍ୟୁରୋ : ଜୁନିଅର ହକି ବିଶ୍ୱକପର ଆଜି ଟାଇଟଲ ମୁକାବିଲା । ଏହି ପ୍ରତୀକ୍ଷିତ ଓ ହାଇଭୋଲଟେଜ୍ ଟ୍ରଫି ଟକ୍କରରେ ୟୁରୋପୀୟ ଶକ୍ତି ତଥା ପ୍ରତିଯୋଗିତାର ସଫଳତମ ଦଳ ଜର୍ମାନିକୁ ଲାଟିନ୍ ଆମେରିକୀୟ ଦେଶ ଆର୍ଜେଣ୍ଟିନା ଭେଟିବ । ଜର୍ମାନୀ ସପ୍ତମ ବିଶ୍ବକପ୍ ଟ୍ରଫି ଲକ୍ଷ୍ୟରେ ରହିବ । ଅନ୍ୟପକ୍ଷରେ ଆର୍ଜେଣ୍ଟିନା ଦ୍ବିତୀୟ ଥର ବିଶ୍ବକପ୍ ଟ୍ରଫି ତୋଳି ଧରିବାକୁ ଚେଷ୍ଟା କରିବ। ଉଭୟ ଦଳ ଭିନ୍ନ ରଣନୀତି ଓ କୌଶଳରେ ଖେଳୁଥିବାରୁ ଫାଇନାଲ୍ ବେଶ୍ ସଂଘର୍ଷପୂର୍ଣ୍ଣ ଓ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ତେବେ ସବୁକିଛି ପାଗ ଉପରେ ନିର୍ଭର କରିବ ।
ଅପରାଜେୟ ଜର୍ମାନୀ କିନ୍ତୁ ଫେବରିଟ୍ ଦଳ ଭାବେ ପଡ଼ିଆକୁ ଓହ୍ଲାଇବ । ଅନ୍ୟପକ୍ଷରେ ଜର୍ମାନୀ ପଛକୁ ପୁଲ୍-ଡି’ର ଦ୍ବିତୀୟ ସ୍ଥାନରେ ରହି କ୍ବାର୍ଟରକୁ ଯାଇଥିବା ଆର୍ଜେଣ୍ଟିନା ପାଖରେ ଟ୍ରଫି ବିଜୟ ସହ ଜର୍ମାନୀଠାରୁ ପ୍ରତିଶୋଧ ନେବାର ସୁଯୋଗ ରହିବ । ହକିପ୍ରେମୀଙ୍କ ସବୁ ନଜର ଗତଥରର ବିଜେତା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ-ଚତୁର୍ଥ ସ୍ଥାନ ମ୍ୟାଚ୍ ଉପରେ ରହିବ । ଉତ୍ସାହୀ ଫ୍ରାନ୍ସ ଚମତ୍କାର ହକି ଖେଳି ସେମିଫାଇନାଲ୍ରେ ପ୍ରବେଶ କରିବା ପରେ ସେଠାରେ ଆର୍ଜେଣ୍ଟିନାଠାରୁ ହାରିଥିଲା । ଅନ୍ୟପକ୍ଷରେ ଭାରତ ଫାଇନାଲିଷ୍ଟ ଜର୍ମାନୀଠାରୁ ୨-୪ ଗୋଲ୍ରେ ହାରି ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲା। ପ୍ରତିଯୋଗିତାର ପ୍ରଦର୍ଶନକୁ ତର୍ଜମା କଲେ କିନ୍ତୁ ରବିବାର ମୁକାବିଲାରେ ଫ୍ରାନ୍ସ ଅପେକ୍ଷା ଭାରତ ଟିକିଏ ଅଧିକ ଚାପରେ ରହିବ। କାରଣ ପ୍ରତିଯୋଗିତାର ଉଦ୍ଘାଟନୀ ଦିବସରେ ଫ୍ରାନ୍ସ ୫-୪ ଗୋଲ୍ରେ ଭାରତକୁ ହରାଇ ଅଭିଯାନ ଆରମ୍ଭ କରିଥିଲା ।
ଆୟୋଜକ ଭାରତ ପ୍ରଥମ ଥର ପାଇଁ ୨୦୦୧ରେ ବିଜେତା ହୋଇଥିଲା । ୧୫ ବର୍ଷ ପରେ ଘରୋଇ ପରିବେଶରେ ଲକ୍ଷ୍ନୌଠାରେ ଏହି ସଫଳତାକୁ ଦୋହରାଇଥିଲା। ଅନ୍ୟପକ୍ଷରେ ୨୦୧୩ ମସିହାରେ ଉପବିଜେତା ହେବା କନିଷ୍ଠ ପୁରୁଷ ହକି ବିଶ୍ବକପ୍ରେ ଫ୍ରାନ୍ସର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହି ଆସିଛି । ଭାରତ ଶେଷ ଥର ପାଇଁ ୨୦୦୫ ମସିହାରେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଲଢ଼ି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଏଥର କିନ୍ତୁ ଫ୍ରାନ୍ସଠାରୁ ମଧୁର ପ୍ରତିଶୋଧ ସହ ଅନ୍ତତଃ ତୃତୀୟ ସ୍ଥାନରେ ରହିବ ବୋଲି ସମର୍ଥକ ଆଶା ରଖିଛନ୍ତି। ନାନା ଘାତ ପ୍ରତିଘାତ, ପ୍ରତିକୂଳ ପାଗ ଏବଂ କରୋନା ଆତଙ୍କର ଭୟ ଭିତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଚଳିତ କନିଷ୍ଠ ହକି ବିଶ୍ବକପ୍ର ଉଦ୍ଯାପନୀ ଦିବସର ଅପରାହ୍ନ ୪ଟା ୩୦ରେ ଭାରତ-ଫ୍ରାନ୍ସ ଏବଂ ରାତି ୭ଟା ୩୦ରେ ଜର୍ମାନୀ-ଆର୍ଜେଣ୍ଟିନା ମ୍ୟାଚ୍ ଖେଳାଯିବ । ବାତ୍ୟା ଜୱାଦ କ୍ରମଶଃ ଦୁର୍ବଳ ହେଉଥିବାରୁ ରବିବାର ଦୁଇଟି ଯାକ ମ୍ୟାଚ୍ ବିନା ବ୍ୟାଘାତରେ ଖେଳାଯିବାର ସମ୍ଭାବନା ହକି ପ୍ରଶଂସକଙ୍କୁ ଉଲ୍ଲସିତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/12-7.jpg)