ମହାକାଳପଡା କଲେଜ ପରିସରରେ ନିର୍ବାଚନ ସଭା ନେଇ କାର୍ଯ୍ୟାନୁଷ୍ଠାନ : କଲେଜ ପ୍ରିନ୍ସିପାଲ ବିକାଶ ଦାସଙ୍କ ବିରୋଧରେ ମାମଲା ରୁଜୁ 

ପୂର୍ବରୁ ଏସଡିପିଓ ଓ କଲେଜ ଅଧ୍ୟକ୍ଷ ହୋଇସାରିଛନ୍ତି ନିଲମ୍ବିତ

99

କନକ ବ୍ୟୁରୋ : କେନ୍ଦ୍ରାପଡା ମହାକାଳପଡା ମା’ ତାରିଣୀ କଲେଜରେ ନିର୍ବାଚନୀ ସଭା ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ପ୍ରିନ୍ସିପାଲଙ୍କ ବିରୋଧରେ ଏଫଆଇଆର କରିଛନ୍ତି ସ୍ଥାନୀୟ ତହସିଲଦାର । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ମାମଲା କରାଯାଇଥିବା ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ମହାକାଳପଡା ତହସିଲଦାର ସ୍ଥାନୀୟ ଅଧିକାରୀ ହୋଇଥିବାରୁ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅଧିନରେ ଏହି ମାମଲା କରିଥିବା ଚିଠିରେ ଉଲ୍ଲେଖ କରାଯାଇଛି ।

ପୂର୍ବରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଥିଲେ ନିର୍ବାଚନ କମିଶନ୍ । କଲେଜ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାଶଙ୍କୁ ନିଲମ୍ବନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଥିଲା । ସେହିଭଳି ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିଲମ୍ବନ କରିବା ପାଇଁ ପୁଲିସ ମହାନିର୍ଦେଶକଙ୍କୁ ସୁପାରିଶ କରିଥିଲେ । ଏହାପରେ ଉଭୟଙ୍କୁ ନିଲମ୍ବନ କରାଯାଇଥିଲା । ତେବେ ଉଭୟଙ୍କ ବିରୋଧରେ ଆଇନ୍ ଅନୁସାରେ ମାମଲା ରୁଜୁ କରିବା ପାଇଁ କୁହାଯାଇଥିଲା । ତେଣୁ ଜିଲ୍ଲାପାଳ ଏନେଇ ପଦକ୍ଷେପ ନେଇଥିବା ନିର୍ବାଚନ କମିଶନଙ୍କୁ ଜଣାଇ ଦେଇଛନ୍ତି ।

ଗତ ୧୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଯୁକ୍ତଦୁଇ ତାରେଣୀ ସରକାରୀ ମହାବିଦ୍ୟାଳୟରେ ଏହି ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା। କଲେଜ ଅଧ୍ୟକ୍ଷ ବିକାଶ ଦାସ ଓ ଏସ୍‌ଡିପିଓ ପ୍ରଶାନ୍ତ ମାଝୀ ଅୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ, ଗଡ଼ରୋମିତ ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀ ପ୍ରିୟଙ୍କା ସାମଲ, ବର୍ତ୍ତମାନର ସରପଞ୍ଚ ଉତରା ତରାଇ, ପୂର୍ବତନ ସରପଞ୍ଚ ଦୁଷ୍ମନ୍ତ ସେଠୀଙ୍କ ସମେତ ପାଖାପାଖି ଦୁଇ ଶହରୁ ଅଧିକ ଲୋକ ସଭାସ୍ଥଳରେ ଉପସ୍ଥିତ ଥିଲେ । କଲେଜରୁ ଗାଁ ଦୂର ଥିବାରୁ ଗାଡ଼ିରେ ବୁହାଇ ଲୋକଙ୍କୁ ଅଣାଯାଇଥିଲା । ଭୋଜିଭାତ ପାଇଁ ଭାତ-ଚିକେନ୍‌ ବ୍ୟବସ୍ଥା କରାଯାଇଥିଲା ।

ନିର୍ବାଚନ ଆଚରଣବିଧି ଏବ˚ କୋଭିଡ୍‌ର କଡ଼ା କଟକଣା ସତ୍ତ୍ବେ ସରକାରଙ୍କ ଦୁଇ ବରିଷ୍ଠ ଅଧିକାରୀ ବେଆଇନ ଭାବେ ନିର୍ବାଚନୀ ସଭା ଆୟୋଜନ କରିବା ଏବ˚ ସିଧାସଳଖ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଭାଷଣ ଦେଇ ଭୋଟ୍‌ ମାଗିବା ଘଟଣା ପୂରା ମାମଲାକୁ ବିବାଦୀୟ କରି ଦେଇଥିଲା । ଏ ସ˚କ୍ରାନ୍ତରେ ଖବର ପ୍ରକାଶ ପାଇବାପରେ ରାଜ୍ୟ ନିର୍ବାଚନ କମିସନ୍‌ ଘଟଣାକୁ ଗୁରୁତ୍ବର ସହିତ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଦିନ ମାଜିଷ୍ଟ୍ରେଟ୍‌ ତଥା ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ର˚ଜନ ପଣ୍ତା ଏବ˚ ମାର୍ଶାଘାଇ ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନ୍‌ଗୋ କଲେଜ ଯାଇ ଘଟଣାର ତଦନ୍ତ କରିଥିଲେ। ସିସି କ୍ୟାମେରା ହାର୍ଡଡିସ୍କ୍‌ ଜବତ୍‌ କରିବା ସହିତ କଲେଜ ରେଜିଷ୍ଟର୍‌ ଯାଞ୍ଚ କରିଥିଲେ ।