ଭାରତୀୟ କ୍ରିକେଟର ‘କ୍ରିସ ଗେଲ’ । ପିଲାବେଳେ ପୋଷାକ ସଫା କାଠ ଖଣ୍ଡରେ ଖେଳୁଥିଲେ, ଏବେ ଆଇପିଏଲରେ ମଚାଉଛନ୍ତି ଧମାଲ । 

360

କନକ ବ୍ୟୁରୋ  : ମହିପାଲ ଲୋମରୋର । ମଙ୍ଗଳବାର ପର୍ଯ୍ୟନ୍ତ ଏହି ନାଁକୁ ନେଇ ଏତେଟା ଚର୍ଚ୍ଚା ହେଉନଥିଲା । କିନ୍ତୁ ପଞ୍ଜାବ ବିପକ୍ଷ ଆଇପିଏଲ ମ୍ୟାଚ୍ ପରେ ଏବେ ଏହି ନାଁକୁ ନେଇ ଚର୍ଚ୍ଚା ବଢିଛି । କାରଣ ପଞ୍ଜାବ ବିପକ୍ଷରେ ମହିପାଲ ଯେଉଁ ବିସ୍ଫୋରକ ଇନିଂସ ଖେଳିଥିଲେ ତାହା ତାଙ୍କୁ ରାତାରାତି ସୁପରଷ୍ଟାର ଭାବେ ସାମ୍ନାକୁ ଆଣିଛି । ମାତ୍ର ୧୭ଟି ବଲରେ ମହିପାଲ ବିସ୍ଫୋରକ ୪୩ ରନର ଇନିଂସ ଖେଳିଥିଲେ । ଯେଉଁଥିରେ ୪ଟି ବିଶାଳ ଛକା ଓ ୨ ଟି ଚୌକା ରହିଥିଲା । ଆଉ ଏହି ଇନିଂସ ଦେଖିବା ପରେ ମହିପାଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କୁହାଯାଉଛି ।

ରାଜସ୍ଥାନର ନାଗୋରରେ ଜନ୍ମଗ୍ରହଣ କରିଥିବା ମହିପାଲ ଛୋଟବେଳୁ ହିଁ କ୍ରିକେଟର ହେବାକୁ ସ୍ୱପ୍ନ ଦେଖିଥିଲେ । ଏନେଇ ତାଙ୍କ ଜେଜେମା’ କୁହନ୍ତି, ପିଲାବେଳେ ମହିପାଲ କ୍ରିକେଟ ଖେଳିବାକୁ ଜିଦ୍ କରୁଥିଲେ । ଏପରିକି ବ୍ୟାଟ ନ ମିଳିଲେ ପୋଷାକ ଧୁଆଯାଉଥିବା କାଠ ଖଣ୍ଡରେ କ୍ରିକେଟ ଖେଳୁଥିଲେ । ଆଉ କ୍ରିକେଟ ପ୍ରତି ମହିପାଲଙ୍କ ଏଭଳି ଭଲପାଇବା ଦେଖି ତାକୁ ବ୍ୟାଟ କିଣିଦେଇଥିଲି । ଆଉ ଏହାପରେ ନିଜ ଆଗରେ ପ୍ରତିଦିନ ବ୍ୟାଟିଂ କରୁଥିଲେ ମହିପାଲ । କେହି ସାଙ୍ଗ କ୍ରିକେଟ ଖେଳିବାକୁ ନ ମିଳିଲେ ନିଜ ଭଉଣୀକୁ ବୋଲିଂ କରିବାକୁ କହୁଥିଲେ ମହିପାଲ । ଆଉ ଏହି କ୍ରିକେଟ ପ୍ରେମ ପାଇଁ ଖୁବ୍ କମ ବୟସରେ ଘର ଛାଡିଥିଲେ ମହିପାଲ । ମାତ୍ର ୧୧ ବର୍ଷ ବୟସରେ ନାଗୋରରୁ ଜୟପୁରକୁ ସିଫ୍ଟ ହୋଇଥିଲେ ମହିପାଲ । ଯେହେତୁ ନାଗୋରରେ କ୍ରିକେଟ ପାଇଁ ଏତେଟା ସୁବିଧା ନଥିଲା ତେଣୁ କୋଚଙ୍କ କହିବା ପରେ ଜୟପୁର ଚାଲି ଆସିଥିଲେ ମହିପାଲ । ଆଉ ମହିପାଲଙ୍କ ସହ ତାଙ୍କୁ ଜେଜେମା’ ମଧ୍ୟ ଜୟପୁର ଚାଲି ଆସିଥିଲେ । ଆଉ ଏହିଠାରୁ ଆରମ୍ଭ ହୋଇଥିଲା ମହିପାଲଙ୍କ କ୍ରିକେଟ ଯାତ୍ରା ।

ମହିପାଲଙ୍କୁ ଜୁନିୟର କ୍ରିସ୍ ଗେଲ ମଧ୍ୟ କୁହାଯାଏ । କାରଣ ଗେଲଙ୍କ ଭଳି ଲୋମରୋର ଲମ୍ବା ଲମ୍ବା ଛକା ମାରିବାରେ ମାହିର । ଏପରିକି ୧୪ ବର୍ଷରୁ କମ ଏକ ଟୁର୍ଣ୍ଣାମେଣ୍ଟରେ ଲୋମରୋର ୨୫୦ ରନ କରିଥିଲେ । ଆଉ ଏହି ଇନିଂସ ଦେଖିବା ପରେ ତାଙ୍କୁ ଜୁନିୟର ଗେଲ ବୋଲି କୁହାଗଲା । ଏପରିକି ୧୪ ବର୍ଷରୁ କମ ଓ ୧୬ ବର୍ଷରୁ କମ ରାଜସ୍ଥାନ ଟିମ୍ ପାଇଁ ଲୋମରୋର ଓ ରିଷଭ ପନ୍ତ ସାଙ୍ଗ ହୋଇ କ୍ରିକେଟ ଖେଳିଛନ୍ତି । ଆଡାମ ଗିଲଖ୍ରୀଷ୍ଟଙ୍କୁ ନିଜର ଆଦର୍ଶ ମାନୁଥିବା ମହିପାଲ ବାମହାତୀ ବ୍ୟାଟସମ୍ୟାନ ମଧ୍ୟ । ରାଜସ୍ଥାନ ପକ୍ଷରୁ ୩୩ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ଲୋମରୋରଙ୍କୁ ପ୍ରଥମେ ଦିଲ୍ଲୀ କିଣିଥିଲା । କିନ୍ତୁ ଦିଲ୍ଲୀ ଟିମ୍ ପକ୍ଷରୁ ଡେବ୍ୟୁ କରିପାରିନଥିଲେ ଲୋମରୋର । ଆଉ ଏହାପରେ ରାଜସ୍ଥାନ ଟିମ ଲୋମରୋରଙ୍କୁ କିଣିଥିଲା । ନିଜ ଆଇପିଏଲ କ୍ୟାରିୟରରେ ୮ଟି ମ୍ୟାଚରୁ ଲୋମରୋର ୧୩୦ ରନ୍ କରିଛନ୍ତି । ଆଉ ପଞ୍ଜାବ ବିପକ୍ଷ ଇନିଂସ ଏବେ ତାଙ୍କୁ ନୂଆ ପରିଚୟ ଦେଇଛି ।