କରୋନା ମୁକାବିଲାରେ ଜୁନ୍ ମାସ ଗୁରୁତ୍ୱପୂର୍ଣ୍ଣ । ୩୦ ଦିନ ମଧ୍ୟରେ ସଂକ୍ରମଣ ବଢିବା ନେଇ ସରକାରଙ୍କ ଆଶଙ୍କା, କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାହାର ରାଜ୍ୟରୁ ଆସିଛନ୍ତି ୯୫ ପ୍ରତିଶତ ବ୍ୟକ୍ତି ।

406

କନକ ବ୍ୟୁରୋ : ରାଜ୍ୟରେ ଆଜି ଗୋଟିଏ ଦିନରେ ୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ସରକାର କହିଛନ୍ତି, ଜୁନ୍ ମାସ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ୩୦ ଦିନ ମଧ୍ୟରେ ସଂକ୍ରମଣ ବଢିବା ନେଇ ଆଶଙ୍କା କରିଛନ୍ତି ସରକାର । ତେଣୁ ଜୁନ୍ ମାସରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ସମସ୍ତ ଓଡିଆଙ୍କୁ ଏକାଠି ହୋଇ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ ଓ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦେଇଥିବା ବାର୍ତାରେ ଆଗକୁ ଅଧିକ କଠିନ ରାସ୍ତା ଅତିକ୍ରମ କରିବାକୁ ପଡିବ ବୋଲି ସତର୍କ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏପରି କାହିଁକି କହିଥିଲେ ? ଏହାର ବ୍ୟାଖ୍ୟା କରିଛନ୍ତି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ।

ତାଲାବନ୍ଦର ୪ଟି ପର୍ଯ୍ୟାୟ ପରେ ଧିରେ ଧିରେ ଅର୍ଥନୈତିକ କାରବାର ବୃଦ୍ଧି ପାଇଁ ବହୁ କୋହଳ କରାଯାଇଛି । ଫଳରେ ବିଭିନ୍ନ ଲୋକଙ୍କ ଗମନାଗମନ ବଢିଛି । ସରକାରଙ୍କ ସୂଚନା ଅନୁସାରେ, ବର୍ତମାନ ସୁଦ୍ଧା ଓଡିଶାକୁ ରାଜ୍ୟ ବାହାରୁ ତଥା ବିଦେଶରୁ ମୋଟ ୪ ଲକ୍ଷ ୨୬ ହଜାର ୫୦୪ ଜଣ ଫେରିଛନ୍ତି । ଏମାନେ ସମସ୍ତେ ରେଳପଥ , ସଡକପଥ ଓ ବିମାନସେବା ଜରିଆରେ ଆସିଛନ୍ତି । ଆଗାମୀ ଦିନରେ ଯୋଗାଯୋଗ ବଢିବା ସହ ଏହି ସଂଖ୍ୟା ଆହୁରି ଅଧିକ ବଢିବା ସମ୍ଭାବନା ରହିଛି ।

କରୋନା ଭୂତାଣୁ ମୁଖ୍ୟତଃ ବିଭିନ୍ନ ସ୍ଥାନ ଯିବା ଆସିବା କରୁଥିବା ଲୋକଙ୍କ ଜରିଆରେ ସାରା ବିଶ୍ୱରେ ମାଡି ମାଡି ଚାଲିଛି । ଓଡିଶାକୁ ମଧ୍ୟ ରାଜ୍ୟ ବାହାରୁ ଫେରିଥିବା ଲୋକଙ୍କ ଜରିଆରେ ଏହି ଭୂତାଣୁ ଆସିଛି ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ । ତେଣୁ ସାରା ରାଜ୍ୟରେ ସରକାର ମୋଟ ୧୬ ହଜାର ୬୪୪ଟି ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରିଛନ୍ତି । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୫ ପ୍ରତିଶତ ବ୍ୟକ୍ତି ରାଜ୍ୟ ବାହାରୁ ଆସିଥିବା ସ୍ପଷ୍ଟ ହୋଇଛି । ତେଣୁ ଆଗାମୀ ଦିନରେ ଗମନାଗମନ ବଢିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ।ବର୍ତମାନ ଓଡିଶାରେ ୯୫ ପ୍ରତିଶତ ଆକ୍ରାନ୍ତ କ୍ୱାରେନ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହେଉଥିବା ବେଳେ ୫ ପ୍ରତିଶତ ସ୍ଥାନୀୟ ଲୋକ ଚିହ୍ନଟ ହେଉଛନ୍ତି । ଏଭଳି ପରିସ୍ଥିତିରେ ପୁଣି ତାଲାବନ୍ଦର ଆବଶ୍ୟକତାକୁ ନେଇ ଚର୍ଚ୍ଚା ହେଉଛି ।