କନକ ବ୍ୟୁରୋ : ଜୁନେଦ ନାସିର ହତ୍ୟା ମାମଲାରେ ଅଭିଯୁକ୍ତ ମୋନୁ ମାନେସରକୁ ଗିରଫ କରିଛି ହରିଆଣା ପୋଲିସ । ଚଳିତ ବର୍ଷ ଫେବୃଆରୀ ମାସରେ ଜୁନେଦ ନାସିରକୁ ହତ୍ୟା କରାଯାଇଥିଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ମୋନୁ ମାନେସର । ଏହାସହ ମୋନୁ ନୁହ ହିଂସା ମାମଲାରେ ସଂପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଅନୁମାନ କରାଯାଉଛି କି, ହରିଆଣା ପୋଲିସ ମୋନୁକୁ ରାଜସ୍ଥାନ ପୋଲିସକୁ ହସ୍ତାନ୍ତର କରିପାରେ ।

Advertisment

ମୋନୁ ମାନେସର ଓରଫ ମୋହିତ ଯାଦବ ଜଣେ କଟ୍ଟର ଗୋରକ୍ଷକ ଭାବେ ଜଣାଶୁଣା । ସେ ଏକ ଗୋ ରକ୍ଷକ ସଂଗଠନର ମୁଖ୍ୟ ଭାବେ ନେତୃତ୍ୱ ନେଉଥିଲେ । ଏହାସହ ଅନେକ ସମୟରେ ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ସେମାନଙ୍କ ଗାଡି ପୋଡିବା ଭଳି ଭିଡିଓ ପୋଷ୍ଟ କରି ସେ ବେଶ୍ ଚର୍ଚ୍ଚାରେ ଥିଲେ । ଏହାସହ ସେ ଲଭ୍ ଜିହାଦ ବିରୋଧରେ ମଧ୍ୟ ଏକ ଅଭିଯାନ ଚଳାଉଥିଲେ ।

ଚଳିତ ବର୍ଷ ଫେବୃଆରୀ ମାସରେ ରାଜସ୍ଥାନର ଭରତପୁର ଜିଲ୍ଲା ଘାଟମୀକା ଗାଁରେ ରହୁଥିବା ନାସିର ଓ ଜୁନେଦଙ୍କୁ ଅପହରଣ କରାଯାଇଥିଲା । ଏହାର କିଛିଦିନ ପରେ ଉଭୟଙ୍କ ଶବ ହରିଆଣାର ଭିବାନୀ ଠାରେ ମିଳିଥିଲା    । ଉଭୟ ଜୁନେଦ ଓ ନାସିରଙ୍କୁ ପୋଡି ହତ୍ୟା କରାଯିବା ସହ ଏକ କାର ମଧ୍ୟ ପୋଡିଦିଆଯାଇଥିଲା । ଏହି ମାମଲାକୁ ନେଇ ରାଜସ୍ଥାନ ସରକାରକୁ ବିରୋଧୀ ବିଜେପି ସରକାର କଟାକ୍ଷ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା । ମୋନୁ ମାନେସରଙ୍କ ନାମରେ ଚଳିତ ବର୍ଷ ଫେବୃଆରୀ ୭ ତାରିଖରେ ହତ୍ୟା ଅଭିଯୋଗ ଆଣି ଗୁରୁଗ୍ରାମର ପଟୋଦୀ ଥାନାରେ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ ହେବା ପରେ ମୋନୁ ଫେରାର ହୋଇଯାଇଥିଲା । ଫେରାର ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲା ।