ପୁଲିସ କବଜାରେ ଜୁନାଗଡ଼ ଯୌନ ଯାତନାର ସୈତାନ । ୭ ଜଣଙ୍କୁ ଅଟକ ରଖି ଜେରା କରୁଛି କଳାହାଣ୍ଡି ପୁଲିସ୍, ନ୍ୟାୟ ଦେବାକୁ ମହିଳା କମିଶନଙ୍କ ପ୍ରତିଶ୍ରୁତି

1,124

କନକ ବ୍ୟୁରୋ : ଜୁନାଗଡ଼ରେ ଯୁବତୀଙ୍କୁ ଯୌନଯାତନା ଏବଂ ଭାଇରାଲ ଭିଡିଓ ଘଟଣାରେ ୭ ଜଣଙ୍କୁ ଅଟକ ରଖିଛି ପୁଲିସ୍ । ଦୁଷ୍କର୍ମ ସହ ସଂପୃକ୍ତ ଥିବା ଯୁବକଙ୍କ ସମେତ ଏକାଧିକ ଲୋକଙ୍କୁ ପଚରାଉଚୁରା କରୁଛି କଳାହାଣ୍ଡି ପୁଲିସ୍ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଥିବା ବେଳେ ଆଜି ଜୁନ଼ାଗଡର ଘଟଣାସ୍ଥଳରେ ପହଂଚିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ମହିଳା କମିଶନଙ୍କ ୩ ଜଣିଆ ଦଳ ପୀଡ଼ିତାଙ୍କୁ ଭେଟି ଆଶ୍ୱାସନା ଦେବା ସହ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆଉ ଏହାରି ଭିତରେ ଜୁନାଗଡ଼ର ଏହି ଯୌନଯାତନାର କାହାଣୀ ସାରା ଓଡ଼ିଶାକୁ ଦୋହଲାଇ ଦେଇଛି ।

ଦୁଷ୍କର୍ମ ଘଟିଥିବା ସ୍ଥାନରେ ସରଜମିନ୍ ତଦନ୍ତ ପରେ ଗୋଟି ଗୋଟି କରି ସମସ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଛି ପୁଲିସ୍ । କେଉଁଠି ଓ କେମିତି ଦୁଷ୍କର୍ମ ଘଟିଥିଲା ତା’ର ଟିକିନିକି ତଦନ୍ତ କରିବା ପରେ ମାମଲାକୁ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବାକୁ ଅଣ୍ଟା ଭିଡିଛି କଳହାଣ୍ଡି ପୁଲିସ୍ । ଆଉ ଏସବୁ ଭିତରେ ପୀଡ଼ିତାଙ୍କୁ ଭେଟି ନ୍ୟାୟର ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ମହିଳା କମିଶନ ।

୧୪ ତାରିଖ ଶନିବାର ।ସ୍ଥାନ: ଜାରିଙ୍ଗ, ଜୁନାଗଡ଼ । ଘନା ସଂରକ୍ଷିତ ଜଙ୍ଗଲ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା । ଜଣେ ଏଏନଏମ୍ ଛାତ୍ରୀଙ୍କୁ ଘେରି ଯାଇଥିଲେ ୪ରୁ ୭ଜଣ ଯୁବକ । ଏକୁଟିଆ ଝିଅକୁ ନିଛାଟିଆ ଜଙ୍ଗଲକୁ ଟେକିନେଇ ଜଣେ ପରେ ଜଣେ ଦୁର୍ଷ୍କମ କରିବାରେ ଲାଗିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ଝିଅ କାକୁତି-ମିନତି ହୋଇ ନେହୁରା ହେଉଥିଲା, ହେଲେ ଏହି ଯୌନ ପିପାଶୁ ରାକ୍ଷସମାନେ ଝିଅର କୌଣସି କଥା ଶୁଣିନଥିଲେ । ଏମିତିରେ କଥା ସରିନଥିଲା, ଦୁଷ୍କର୍ମର ଚିତ୍ର ମୋବାଇଲରେ କଏଦ୍ କରି ଭାଇରାଲ କରିଦେଇଥିଲେ ।

ଭବାନୀପାଟଣା ଆସିଥିବା ଏହି ଏଏନଏମ୍ ଛାତ୍ରୀ ଜୁନାଗଡ଼ ଫେରିବାକୁ ଥିଲା । ଆଉ ଏତିକି ବେଳେ ଜଣେ ଚିହ୍ନା ବସ୍ ଡ୍ରାଇଭର ସହ ବାଇକରେ ଘରକୁ ଫେରିବାକୁ ନିଷ୍ପତି ନେଇଥିଲେ ପୀଡ଼ିତା । ହେଲେ ଫେରୁଥିବା ରାସ୍ତାରେ ଅଚାନକ୍ ରାସ୍ତାରେ ଘେରିଯାଇଥିଲେ ୪ରୁ ୭ଜଣ ଯୁବକ । ଯେଉଁମାନେ ଡ୍ରାଇଭରକୁ ମାଡ଼ ମାରିବା ସହ ପୀଡ଼ିତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ । ତେବେ ସଂପୃକ୍ତ ଡ୍ରାଇଭର ଭୂମିକାକୁ ନେଇ ମଧ୍ୟ ସନ୍ଦେହ ଘନେଇବାରେ ଲାଗିଛି ।

ଜଣେ ବଢ଼ିଲା ଝିଅର ଅସହାୟତାର ସୁଯୋଗ ନେଇ ଜୁନାଗଡ଼ରେ ଯୌନ ଯାତନାର ଯେଉଁ କାହାଣୀ ସାମ୍ନାକୁ ଆସିଛି, ତାହା ସାରା ଓଡ଼ିଶାକୁ ଦୋହଲାଇ ଦେଇଛି । ଯୌନ ପିପାଶୁ ସୈତାନମାନେ ଜଣେ ଛାତ୍ରୀଙ୍କୁ ଦୁର୍ଷ୍କମ କରିବା ପରେ ଦୁଷ୍କର୍ମର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ କରିବା ଘଟଣା ଏବେ ଝିଅଙ୍କ ସୁରକ୍ଷା ନେଇ ଏକ ବଡ ଆହ୍ୱାନ ସୃଷ୍ଟି କରିଛି ।