କନକ ବ୍ୟୁରୋ : ହକି ବିଶ୍ୱକପ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ରଙ୍ଗ ତୂଳୀର ସ୍ପର୍ଶରେ ସଜେଇ ହୋଇ ଯାଇଛି ରାଜଧାନୀର କାନ୍ଥବାଡ । କେବଳ କାନ୍ଥ ବାଡ ନୁହେଁ ଭୁବନେଶ୍ୱରରୁ ବିଶ୍ୱସ୍ତରୀୟ ସହରର ଲୁକ୍ ଦେବା ପାଇଁ ଏଲଇଡି ଲାଇଟ ସାଙ୍ଗକୁ ବିଭିନ୍ନ ପ୍ରକାର ଆର୍କଷଣୀୟ ପ୍ରତିମୂର୍ତ୍ତି ଶୋଭା ପାଉଛି ସ୍ମାର୍ଟସିଟିରେ । ଯାହା ଦେଶର ଏକ ନମ୍ବର ସ୍ମାର୍ଟ ସିଟିକୁ ଆହୁରି ସ୍ମାର୍ଟ କରୁଛି । ତେବେ ସୋସିଆଲ ମିଡିଆ ଜମାନାରେ ଏହି କଳାକୃତି ସହ ନୂଆବୋହୂର ରୂପ ଧାରଣ କରିଥିବା ଭୁବନେଶ୍ୱରକୁ ଲୋକଲୋଚନକୁ ଆଣିବାକୁ ସ୍ମାର୍ଟସିଟି ଭୁବନେଶ୍ୱର ପକ୍ଷରୁ ଆରମ୍ଭ ହୋଇଛି ନୂଆ ଚ୍ୟାଲେଞ୍ଜ #JumpForBhubaneswarChallenge ।
ଏହି ଚ୍ୟାଲେଞ୍ଜ ଅନୁଯାୟୀ, ସୋସିଆଲ ମିଡିଆ ୟୁଜର୍ସ ମାନେ ପ୍ରଥମେ ଭୁବନେଶ୍ୱରର ଏକ ସୁନ୍ଦର କଳାକୃତି ଥିବା ମନପସନ୍ଦର ସ୍ପଟ ବାଛିବେ । ଉଦାହରଣ ସ୍ୱରୂପ ଉକ୍ରଳ ବିଶ୍ୱବିଦ୍ୟାଳୟ ସମ୍ମୁଖ ଓଭରବ୍ରିଜ କାନ୍ଥରେ ହୋଇଥିବା ଥ୍ର-ଡି ଚିତ୍ର କିମ୍ବା ରାଜଧାନୀର ରାସ୍ତାକଡରେ ହୋଇଥିବା ରଙ୍ଗବେରଙ୍ଗର ଚିତ୍ର କିମ୍ବା ଏକାମ୍ର କ୍ଷେତ୍ରର ପ୍ରତିକୃତି, ନଚେତ ବିନ୍ଦୁ ସାଗରରେ ହେଉଥିବା ଲାଇଟ ଆଣ୍ଡ ସୋ ଭଳି ସ୍ଥାନକୁ ପ୍ରଥମେ ବାଛିବାକୁ ପଡିବ । ଏହି ସବୁ ସ୍ପଟକୁ ବ୍ୟାକଗ୍ରାଉଣ୍ଡରେ ରଖି ୟୁଜର୍ସଙ୍କୁ ଡେଇଁବା ଅବସ୍ଥାରେ ଫଟୋ ଉଠାଇବାକୁ ପଡିବ ।
ଫଟୋ ଉଠାଇବା ପରେ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିପାରିବେ ୟୁଜର୍ସ । ଏହାସହ ନିଜର ଦୁଇଜଣ ସାଥୀଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଟ୍ୟାଗ କରିପାରିବେ । ସ୍ୱାର୍ଟସିଟି ଭୁବନେଶ୍ୱର ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରଥମେ ଓଲିଉଡ ସିନେଷ୍ଟାର ବାବୁସାନ, ପ୍ରକୃତି ମିଶ୍ର ଓ ଆଥଲେଟ ଦୂତି ଚାନ୍ଦଙ୍କୁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ବାବୁସାନ ଓ ପ୍ରକୃତି ମିଶ୍ର । ଊଭୟ ଆଇ ଲଭ ଭୁବନେଶ୍ୱର ଲେଖାଥିବା ଏକ ପ୍ରତିକୃତିକୁ ବ୍ୟାକଗ୍ରାଉଣ୍ଡରେ ରଖି ଡେଉଁଥିବା ସମୟର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏବଂ ନିଜର ଦୁଇ ଅନ୍ୟ ବନ୍ଧୁଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଟ୍ୟାଗ୍ କରିଛନ୍ତି ।
ସବୁଠୁ ବଡ କଥା ହେଲା ସୋସିଆଲ ମିଡିଆର ଯେକୌଣସି ୟୁଜର୍ସ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବା ସହ ଫଟୋ ଉଠାଇ #JumpForBhubaneswarChallenge ଲେଖି ପୋଷ୍ଟ କରିପାରିବେ ।