ଭୋଟ ଦେବ ଜୁମଡାଙ୍ଗ । ଓଡିଶା ସହ ରହିବାକୁ ମନ ବଲାଇଛନ୍ତି ସୀମାବର୍ତ୍ତୀ ବାସିନ୍ଦା

110

କନକ ବ୍ୟୁରୋ : ଓଡିଶା ର ସୀମାବର୍ତ୍ତୀ ଅଞ୍ଚଳ ଉପରେ ଆନ୍ଧ୍ରର ନଜର । କୋରାପୁଟ ଜିଲ୍ଲା କୋଟିଆ ପରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଥିବା ଅନେକ ଗାଁ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି । ବିଶେଷ କରି ଜୁମଡାଙ୍ଗ ଗାଁରେ ଆନ୍ଧ୍ର ସରକାର ବିଭିନ୍ନ ଯୋଜନାର ପ୍ରଲୋଭନ ଦେଖାଇ ଭୋଟର କାର୍ଡ ଠାରୁ ଆରମ୍ଭ କରି ଆଧାର କାର୍ଡ ଆଦି ଅନେକ ସରକାରୀ ସୁବିଧା ପ୍ରଦାନ କରି ଆସୁଛି । ତେବେ ଏଥର କିନ୍ତୁ ଓଡିଶା ସହ ରହି ଓଡିଶା ପଞ୍ଚାୟତ ନିର୍ବାଚନରେ ଭାଗ ନେବେ ବୋଲି କନକ ନ୍ୟୁଜକୁ କହିଛନ୍ତି ଜୁମଡାଙ୍ଗ ବାସି ।

କୋଟିଆ ପରି ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ହେଉଛି ଜୁମଡାଙ୍ଗ ଗାଁ । ଓଡିଶାରେ ରହିଛି ଏହି ଗାଁ କିନ୍ତୁ ଏହି ଗାଁକୁ ଭୋଟର କାର୍ଡ ଠାରୁ ଆରମ୍ଭ କରି ରାସନ କାର୍ଡ, ଚାଉଳ, ଭତ୍ତା ପରି ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଆସୁଛି ପଡୋଶୀ ଆନ୍ଧ୍ର । ଏମିତି କି ପିଇବା ପାଣି ଠାରୁ ଆରମ୍ଭ କରି ମାଗଣା ବିଦ୍ୟୁତ ଓ ସରକାରୀ ବିଦ୍ୟାଳୟ ନିର୍ମାଣ କରି ପିଲାଙ୍କୁ ତେଲୁଗୁ ଭାଷାରେ ଶିକ୍ଷାଦାନ କରୁଛି ଆନ୍ଧ୍ର ସରକାର । ଦୀର୍ଘଦିନ ଧରି ଏଠାକାର ଲୋକେ ବିଶାଖାପାଟଣା ପେଦାବାୟଲୁ ମଣ୍ଡଳର ସମସ୍ତ ନିର୍ବାଚନରେ ସାମିଲ ହୋଇ ଆନ୍ଧ୍ରର ସମସ୍ତ ସୁବିଧାର ଲାଭ ଉଠାଉ ଥିଲେ । ଏଥର କିନ୍ତୁ ଓଡିଶା ନିର୍ବାଚନରେ ଭାଗ ନେବାକୁ କନକ ନ୍ୟୁଜ କ୍ୟାମେରାରେ ମତ ପ୍ରକାଶ କରିଛନ୍ତି ଜୁମଡାଙ୍ଗ ବାସିନ୍ଦା ।

ଓଡିଶା ପକ୍ଷରୁ ଜୁମଡାଙ୍ଗ ଗାଁକୁ ଏବେ ତିଆରି ହୋଇଛି ରାସ୍ତା । ପୂର୍ବରୁ ଏହି ସବୁ ଅଞ୍ଚଳର ଲୋକେ ପାହାଡିଆ ରାସ୍ତା ଦେଇ ଘୋଡାରେ ଯାତାୟାତ କରୁ ଥିଲେ । ଆନ୍ଧ୍ରରୁ ଦୂରତା କମ ଥିବାରୁ ଆନ୍ଧ୍ର ଉପରେ ନିର୍ଭର କରୁଥିଲେ । ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏବେ ପାହାଡର ଛାତିକୁ ଚିରି ଗାଁକୁ ନୂଆ ରାସ୍ତା ପହଁଚିଛି । ତେଣୁ ଆନ୍ଧ୍ରର ସମସ୍ତ ସୁବିଧା ସୁଯୋଗ କୁ ପଛରେ ପକାଇ ଓଡିଶା ସହ ସାମିଲ ହବାକୁ ମନ ବଳାଇଛନ୍ତି ଜୁମଡାଙ୍ଗ ବାସିନ୍ଦା । ଗାଁରେ ପିଇବା ପାଣି, ସ୍କୁଲ ଭଳି ମୌଳିକ ସୁବିଧା ଯୋଗାଇ ଦେବା ଲାଗି ସେମାନେ ଦାବି କରିଛନ୍ତି ।