ଅସୁସ୍ଥ ହାତୀର ଯାଂଚ କଲେ ଶିମିଳିପାଳର ବିଶେଷଜ୍ଞ ଦଳ: ସଂଗ୍ରହ କଲେ ରକ୍ତ ନମୂନା, ରିପୋର୍ଟ ଆସିବା ପରେ ଜଣାପଡିବ ରୋଗର କାରଣ

ଦୁଇ ଦିନ ହେଲା କେନ୍ଦୁଝର ଜଙ୍ଗଲରେ ଛଟପଟ ହେଉଛି ମାଈ ହାତୀ; ହରପିସ ସଂକ୍ରମଣର ଆଶଙ୍କା

185

କନକ ବ୍ୟୁରୋ: ଅସୁସ୍ଥ ହାତୀର ଚିକିତ୍ସା ଜାରି । କେନ୍ଦୁଝର ଜିଲ୍ଲା ଉପରସୁମଠ ଜଙ୍ଗଲରେ ଏକ ମାଈ ହାତୀ ଅସୁସ୍ଥ ହୋଇ ପଡିଥିବା ବେଳେ ସିମିଳିପାଳରୁ ଆସିଥିବା ଡ଼ାକ୍ତରୀ ଟିମ୍ ଏହାର ଚିକିତ୍ସା କରିଛନ୍ତି । ଗତ ଦୁଇଦିନ ହେଲା ଏକ ୫ଟିକିଆ ହାତୀପଲ ସ୍ଥାନୀୟ ଅଂଚଳକୁ ପଶିଆସି ଧାନ ଖାଉଥିବାର ଦେଖିବାକୁ ମିିଳିଥିଲା । ତେବେ ସେହି ହାତୀ ମଧ୍ୟରୁ ଏକ ହାତୀ ଧାନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ବନବିଭାଗର ଏକ ଫ୍ଲାଇଂ ସ୍କ୍ୱାର୍ଡ଼ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରଥିଲେ । ହାତୀର ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ଏହା ହରପିସ ଭୁତାଣୁ ଜନିତ ବୋଲି ଅନୁମାନ କରିଥିଲା ବନବିଭାଗ ।

ଏହା ସହ ଏକ ପଶୁ ଡ଼ାକ୍ତର ଟିମ୍ ମଧ୍ୟ ହାତୀର ଚିକିତ୍ସା ଆରମ୍ଭ କରିଛି । ତେବେ ହାତୀର ଅଧିକ ଚିକିତ୍ସା ପାଇଁ ଆଜି ଶିମିଳିପାଳରୁ ଏକ ଡ଼ାକ୍ତରୀ ଟିମ୍ ଘଟଣା ସ୍ଥଳକୁ ଗସ୍ତ କରି ହାତୀର ରକ୍ତ ନମୁନା ସଂଗ୍ରହ କରିଛି । ରକ୍ତ ପରିକ୍ଷା ପରେ ହାତୀ ଦେହରେ ହରପିସ ଭୁତାଣୁ ଅଛି ନା ନାହିଁ ତାହା ସ୍ପଷ୍ଟ ହେବ । ହାତୀର ଅବସ୍ଥା ଏବେ ସଂକଟାପଣ୍ଣ ଥିବା ବେଳେ ହାତୀର ଜୀବନ ରକ୍ଷା ପାଇଁ ପୁଣ୍ଣ ଚେଷ୍ଟା କରୁଛି ବନବିଭାଗ । ସେପଟେ ଭୂତାଣୁ ଜନିତ ମାରାତ୍ମକ ହାରପିସ ରୋଗ ସୃଷ୍ଟି କରିଛି ଆତଙ୍କ । ଏହି ରୋଗରେ ନନ୍ଦନକାନନରେ ୪ଟି ହାତୀର ଜୀବନ ଯିବା ପରେ ଏବେ କେନ୍ଦୁଝର ଜିଲ୍ଲା ଉପରସୁମଠ ଜଙ୍ଗଲରେ ଏକ ମାଈ ହାତୀ ଅସୁସ୍ଥ ହୋଇ ପଡିଥିବା ଚିତ୍ର ସାମ୍ନାକୁ ଆସିିଛି । ହାତୀଟି ଅସୁସ୍ଥ ହୋଇ ଜଙ୍ଗଲରେ ପଡ଼ି ଛଟପଟ ହେଉଛି ।