ଜୁନର ଅଭାବୀ ବର୍ଷାକୁ ପୂରଣ କରିବ ଜୁଲାଇ! ଲଘୁଚାପ ହେବ, ପ୍ରବଳ ବର୍ଷିବ ।

353

କନକ ବ୍ୟୁରୋ :  ଜୁଲାଇରେ ଓଡ଼ିଶା ସମେତ ଭାରତରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ଜୁଲାଇର ପ୍ରଥମ ଦୁଇ ସପ୍ତାହ ରାଜ୍ୟରେ ଭଲ ବର୍ଷା ହେବ। ତେଣୁ ଆସନ୍ତା ସପ୍ତାହରୁ ଚାଷ କାର୍ଯ୍ୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଉତ୍ତର ଓଡ଼ିଶାରେ ସ୍ୱାଭାବିକ କିମ୍ବା କମ୍‌ ବର୍ଷା ହେବାକୁ ଥିବାବେଳେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅପରପକ୍ଷେ ଆସନ୍ତା ୧୨ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ବାରା ରାଜ୍ୟରେ ଆସନ୍ତା ୧୦ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ତେଣୁ ରାଜ୍ୟରେ ଜୁନରେ ହୋଇଥିବା ଅଭାବୀ ବର୍ଷାକୁ ଏହି ଲଘୁଚାପ ବର୍ଷା ଭରଣା କରିବ ବୋଲି ଅନୁମାନ କରାଯାଉଛି।

ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଆସନ୍ତା ୧୧ ତାରିଖ ଆଡ଼କୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଅଧିକ ଘନୀଭୂତ ହୋଇ ୧୨ତାରିଖ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହେବ। ଫଳରେ ୧୦ ତାରିଖଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ଭଲ ବର୍ଷାର ସମ୍ଭାବନା ରହିଛି। ତେବେ ରାଜ୍ୟରେ ଏବେ ପାଗ ଶୁଖିଲା ରହିବ ନାହିଁ। ଏହା ଭିତରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବ। କିନ୍ତୁ ବର୍ଷାର ଆବଣ୍ଟନରେ ଫରକ୍‌ ରହିବ ବୋଲି ଶରତ ସାହୁ କହିଛନ୍ତି।

ପାଣିପାଗ ବିଭାଗର ସୂଚନା ମୁତାବକ, ଜୁଲାଇ ମାସରେ ଓଡ଼ିଶାର ଉତ୍ତର ଆଭ୍ୟନ୍ତରୀଣ ତଥା ଉତ୍ତର ଉପକୂଳ ଓଡ଼ିଶାରେ ସ୍ୱାଭାବିକଠାରୁ ବର୍ଷାର ପରିମାଣ କମ୍‌ ରହିବ। କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣର ଅଳ୍ପ କିଛି ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ବୌଦ୍ଧ ଓ ସୋନପୁରରେ ସ୍ୱାଭାବିକଠାରୁ କମ୍‌ ବର୍ଷାର ସମ୍ଭାବନା ଅଛି। ତେବେ ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ କୋରାପୁଟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ଜୁଲାଇରେ ସ୍ୱାଭାବିକ ଭାବେ ୩୪୫ମିମି ବର୍ଷା ହୋଇଥାଏ। କିନ୍ତୁ ଗତବର୍ଷ ଜୁଲାଇରେ ୨୨୪.୮ମିମି ବର୍ଷା ରେକର୍ଡ ହୋଇଥିଲା। ଅର୍ଥାତ୍‌ ଗତବର୍ଷ ତୁଳନନାରେ ୩୫% କମ୍‌ ବର୍ଷା ହୋଇଥିଲା।