କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । କୋରାପୁଟର ବୈପାରିଗୁଡା ବ୍ଲକରେ ସର୍ବାଧିକ ୧୬୩ ମିମି ବର୍ଷା ରେକର୍ଡ ହୋଇଛି। ପୋଲ ଉପରେ ପାଣି ଚାଲିବା ସହ ୭ ଖଣ୍ଡ ଗାଁର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଲମତାଫୁଟ ଓ ନନ୍ଦପୁର ବ୍ଲକରେ ବର୍ଷା ଲାଗି ରହିଛି। ଭରା ନାଳ ଭିତରେ ପଶି ଛାତ୍ରଛାତ୍ରୀ ବିପଦ ସଙ୍କୂଳ ଭାବେ ବିଦ୍ୟାଳୟକୁ ଯାତାୟତ କରୁଛନ୍ତି। ବାଦିଗଡ଼ ପଞ୍ଚାୟତ ଗୋଡିପୁଟ-ମାଛକୁଣ୍ଡ ରାସ୍ତାରେ ଦେଖୁବାକୁ ଏଭଳି ଦୃଶ୍ୟ। ଉଚ୍ଛୁଳା ନାଳ ପାରି ହୋଇ ପାଞ୍ଚ କିଲୋମିଟର ମାଛକୁଣ୍ତ ବିଦ୍ୟାଳୟକୁ ଯାଉଛନ୍ତି ଛାତ୍ରଛାତ୍ରୀ । ସେହିଭଳି ମାଲକାନଗିରିରେ ରାସ୍ତା ଉପରେ ଚାଲିଛି ଝରଣା । ବାୟାପଡା ଘାଟିରେ ଧୋଇଯାଇଛି ରାସ୍ତା । ୧୮ ଗାଁବାସୀଙ୍କୁ କାଠପୋଲ ଭରସା ପାଲଟିଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, କାଲିଠୁ କମିପାରେ ବର୍ଷାର ପରିମାଣ । ତେବେ ୨୮ ତାରିଖରେ ବରଗଡ, ଝାରୁସୁଗୁଡା, ସୁନ୍ଦରଗଡ, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ୱେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
୨୯ ତାରିଖରେ କେଉଁଝର, ମୟୁରଭଂଜ ଓ ବାଲେଶ୍ବରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ୩୦ ତାରିଖରେ କେଉଁଝର, ମୟୁରଭଂଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ।
୩୧ ତାରିଖରେ ଆସୁଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ୧ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି ।