୫ ଜି ନେଟୱାର୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଖଲ କଲେ ଅଭିନେତ୍ରୀ ଜୁହି ଚାୱଲା । କହିଲେ ୫ ଜି ଇକୋ ସିଷ୍ଟମ ଉପରେ ପକାଇବ ଗମ୍ଭୀର ପ୍ରଭାବ

153

କନକ ବ୍ୟୁରୋ : ଦେଶରେ ୫ ଜି ନେଟୱାର୍କ ଲଂଚ୍ ହେବା ପୂର୍ବରୁ ଦେଖା ଦେଇଛି ବିବାଦ । ୫ ଜି ନେଟୱାର୍କକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ଜୁହି ଚାୱଲା । ସେ ତାଙ୍କ ଅଭିଯୋଗ ଫର୍ଦ୍ଦରେ ଲେଖିଛନ୍ତି କି, ୫ ଜି ନେଟୱାର୍କ ମାନବ ଶରୀରର ଇକୋ ସିଷ୍ଟମ ଉପରେ ଗମ୍ଭୀର ପ୍ରଭାବ ପକାଇବ , ଯାହାର କୌଣସି ଚିକିତ୍ସା ଉଦ୍ଭାବନ ହୋଇ ନଥିବା କଥା ସେ କହିଛନ୍ତି । କହିରଖୁ କି, ଜୁହି ଚାୱଲା ଜଣେ ଅଭିନେତ୍ରୀ ଭାବେ କାମ କରିବା ସହ ପରିବେଶ କାର୍ଯ୍ୟକର୍ତ୍ତା ଭାବେ ବି କାମ କରୁଛନ୍ତି । ପରିବେଶ ଉପରେ ଗମ୍ଭୀର ପ୍ରଭାବ ପକାଇବ ବୋଲି ଦାବି କରି ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସେ ତାଙ୍କ ଯାଚିକାରେ କହିଛନ୍ତି କି ୫ ଜି ନେଟୱାର୍କ ନା କେବଳ ମାନବ ଶରୀର ଉପରେ ପ୍ରଭାବ ପକାଇବ ଏହା ପଶୁ ଓ ଉଦ୍ଭିଦ ଉପରେ ବି ଗମ୍ଭୀର ପ୍ରଭାବ ପକାଇବ ।

ଜୁହିଙ୍କର ଏହି ଯାଚିକା ପ୍ରଥମେ ଜଷ୍ଟିସ୍ ସି.ହରିଶଂକରଙ୍କ ନିକଟରେ ପହଂଚିବା ପରେ ସେ ଏହାକୁ ଅନ୍ୟ ଏକ ବେଂଚକୁ ସ୍ଥାନାନ୍ତର କରିଛନ୍ତି । ଯେଉଁଠି କି ଏହି ମାମଲାର ଶୁଣାଣି ଜୁନ୍ ୨ ତାରିଖରେ ହେବ ବୋଲି କୁହାଯାଇଛି । ଜୁହିଙ୍କ ଏହି ଯାଚିକାରେ କୁହାଯାଇଛି କି, ସରକାର ଯଦି ଟେଲିକମ୍ କମ୍ପାନୀ ମାନଙ୍କୁ ୫ ଜି ନେଟୱର୍କ ସ୍ଥାପନ ପାଇଁ ଅନୁମତି ଦିଅନ୍ତି ତେବେ ଏହାର ବିକିରଣରେ ମାନବ, ପଶୁ, ପକ୍ଷୀ, କୀଟ ପତଙ୍ଗ ଓ ବୃକ୍ଷମାନେ ଗମ୍ଭୀର ଭାବେ ପ୍ରଭାବିତ ହେବେ ।

ସେ ଆହୁରି କହିଛନ୍ତି କି ୫ ଜି ନେଟୱର୍କରୁ ଉତ୍ପନ ହେଉଥିବା ବିକିରଣ ପୃଥିବୀର ଇକୋ ସିଷ୍ଟମକୁ ବିଗାଡି ଦେବ । ଯାହାକୁ କି ଦ୍ୱିତୀୟ ଥର ପାଇଁ ସୁଧୁରା ଯାଇ ପାରିବ ନାହିଁ । ଜୁହିଙ୍କ ତରଫରୁ ମାମଲା ଲଢୁଥିବା ଆଡଭୋକେଟ ଦୀପକ୍ ଖୋସଲା କହିଛନ୍ତି କି ସରକାରଙ୍କ ତରଫରୁ ଦୂରସଂଚାର କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଉ କି, ସେମାନେ ପ୍ରମାଣିତ କରନ୍ତୁ ଯେ ୫ ଜି ନେଟୱର୍କ ଲୋକଙ୍କ ଭଲ ପାଇଁ , ଏହା ଦ୍ୱାରା କୌଣସି କ୍ଷତି ହେବନାହିଁ ।

କହିରଖୁ କି, ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ କୁହାଯାଉଥିବା ରିଲିଆନ୍ସ ଜିଓ ଚଳିତ ବର୍ଷ ଶେଷ ସୁଦ୍ଧା ୫ ଜି ନେଟୱର୍କ ଲଂଚ କରିବ ବୋଲି ଘୋଷଣା କରିଛି ।