କନକ ବ୍ୟୁରୋ: ସାଂସଦ ଜୁଏଲ ଓରାମଙ୍କୁ ନେଇ ଏବେ ସୁନ୍ଦରଗଡ଼ ରାଜନୀତିରେ ଚର୍ଚ୍ଚା । କୁହାଯାଉଛି, ଜୁଏଲ ଓରାମ ଏଥର ଆଉ ଲୋକସଭା ପାଇଁ ନିର୍ବାଚନ ଲଢିବେନି । ତାଙ୍କୁ ବିଧାନସଭା ପ୍ରାର୍ଥୀ କରିବାକୁ ଚାହୂୁଁଛି ଦଳ । ରାଉରକେଲାରେ ହୋଇଥିବା ଚିନ୍ତନ ଶିବିରରେ ଏନେଇ ବିଚାରବିମର୍ଶ ହୋଇଥିବା ଶୁଣିବାକୁ ମିଳିଛି ।

Advertisment

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନରେ ବିଜେପିର ବିଜୟ ପରେ ସେହି ଢାଞ୍ଚା ଓଡ଼ିଶାରେ ଆପଣାଇବାକୁ ଚାହୁଁଛି ଦଳ । ଶୁଣାଯାଉଛି ରାଜ୍ୟରେ ୫୦ ପ୍ରତିଶତ ସାଂସଦ ଟିକେଟ୍ କଟିପାରେ । ଏଥିପାଇଁ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ବିଧାନସଭା ପାଇଁ ମଇଦାନକୁ ଛଡାଯାଇପାରେ । ଏହା ବି ଶୁଣାଯାଉଛି ଯେ, ଦଳ ଜୁଏଲ ଓରାମଙ୍କୁ ବଣାଇ ବିଧାନସଭାରେ ଛିଡା କରିବାକୁ ଚାହୁଁଛି । ହେଲେ ସେ ସୁନ୍ଦରଗଡ଼ ସଦର ବିଧାନସଭାରୁ ଲଢିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ଏପରି ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିପାରେ ।

ଯଦି ଜୁଏଲ ଓରାମ ବିଧାନନସଭା ନିର୍ବାଚନ ଲଢନ୍ତି, ତେବେ ଲୋକସଭା ନିର୍ବାଚନ ଲଢିବ କିଏ? କାରଣ ଜୁଏଲ ଓରାମ ହେଉଛନ୍ତି ଜଣେ ଟାଣୁଆ ଆଦିବାସୀ ନେତା । ଗତ ୨୦୧୯ ନିର୍ବାଚନରେ ସେ ରେକର୍ଡ ୨ ଲକ୍ଷ ୨୩ ହଜାର ଭୋଟ୍ ବ୍ୟବଧାନରେ ଜିତିଥିଲେ । ୧୯୮୯ ମସିହାରେ ରାଜନୀତିରେ ପ୍ରବେଶ କରିବା ପରେ ବିଜେପି ଟିକେଟ୍ରୁ ସେ ଦୁଇ ଥର ବଣାଇ ବିଧାୟକ ହୋଇଛନ୍ତି । ଏହା ପରେ ୧୯୯୮ ମସିହାରେ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଥିଲା ଦଳ ।