କନକ ବ୍ୟୁରୋ : ବିଚାରପତିମାନେ କୋର୍ଟ ରୁମରେ ସତର୍କତାର ସହ ବୟାନ ରଖନ୍ତୁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ସୁପ୍ରିମକୋର୍ଟ ପକ୍ଷରୁ ଆୟୋଜିତ ୭୨ ତମ ସମ୍ବିଧାନ ଦିବସ ସମାପନ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ବିଚାରପତିମାନେ କୋର୍ଟ ରୁମରେ ମନ୍ତବ୍ୟ ରଖିବା ବେଳେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ ଏବଂ ସମ୍ବେଦନଶୀଳ ବ୍ୟବହାର ଦେଖାଇବାକୁ ପଡିବ । ବିଚାରପତିମାନେ ଦେଇଥିବା ବୟାନକୁ ନେଇ ବିଭ୍ରାନ୍ତି ଉପୁଜୁଛି । ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭୁଲ ବାଖ୍ୟା କରାଯାଉଛି ।
ନିଜର ବିବେକ ଅନୂୁଯାୟୀ କୋର୍ଟ ରୁମରେ ମତ ରଖିବା ବିଚାରପତିମାନଙ୍କର ଦାୟିତ୍ୱ । ଅନାବଶ୍ୟକ ମନ୍ତବ୍ୟ ନ୍ୟାୟପାଳିକାକୁ ନେଇ ବିବାଦୀୟ ଆଲୋଚନା କରିବାକୁ ଖୋରାକ ଯୋଗାଉଥିବାରୁ ବିଚାରପତିମାନେ ଏଦିଗରେ ସତର୍କ ରହିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି । ନ୍ୟାୟଳୟର ସ୍ୱାଧୀନତା ସେତେବେଳେ ବିପଦରେ ପଡେ ଯେତେବେଳେ କୋର୍ଟ ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ଚାପ ମଧ୍ୟରେ ଚୟନ କରିବାକୁ ବାଧ୍ୟ ହୁଅନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ।