କନକ ବ୍ୟୁରୋ: ସୁପ୍ରିମକୋର୍ଟର ଜଜ୍ ମାନଙ୍କୁ ବି ଦିଆଯିବ କରୋନା ଟିକା । ମଙ୍ଗଳବାର ଠାରୁ ଏହି ଟିକାକରଣ ଆରମ୍ଭ କରାଯିବ । ସୁପ୍ରିିମକୋର୍ଟର ଜଜ୍ ଙ୍କ ବ୍ୟତୀତ ସେମାନଙ୍କ ପରିବାର ଲୋକଙ୍କୁ ବି ଏହି ଟିକା ଦିଆଯିବ ବୋଲି ସୂଚନା ମିଳିଛି । ସୁପ୍ରିମକୋର୍ଟ ରେଜିଷ୍ଟାର ତରଫରୁ କୋର୍ଟ ପରିସରରେ ଏହି ଟିକାକରଣ କରାଇବାକୁ ସମସ୍ତ ପ୍ରସ୍ତୁତି କରାଇଛନ୍ତି । ଏଠାରେ ସୁପ୍ରିମକୋର୍ଟରୁ ଅବସର ନେଇଥିବା ଜଜ୍ ଓ ସେମାନଙ୍କ ପରିବାର ଲୋକଙ୍କୁ ବି ଏହି ଟିକାକରଣରେ ସାମିଲ କରାଯିବ । ସୁପ୍ରିମକୋର୍ଟ ରେଜିଷ୍ଟାରଙ୍କ ସୂଚନା ମୁତାବକ ଜଜ୍ ଓ ସେମାନଙ୍କ ପରିବାର ଲୋକେ କେଉଁ କମ୍ପାନୀର ଟିକା ନେବେ ତାହା ବାଛିବାକୁ ସେମାନଙ୍କୁ ସ୍ୱାଧିନତା ଦିଆଯାଇଛି । କୋଭିସିଲ୍ଡ ଓ କୋଭାକ୍ସିନ ଟିକା ମଧ୍ୟରୁ ସେମାନେ ଯେଉଁ ଟିକାକୁ ପସନ୍ଦ କରିବେ ତାହା ନେଇ ପାରିବେ ବୋଲି କୁହାଯାଇଛି । ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ସେମାନଙ୍କୁ ଟିକା ବାବଦରେ ଟଙ୍କା ପୈଠ କରିବାକୁ ପଡିବ ।

Advertisment

କହିରଖୁ କି କରୋନା ଭୂତାଣୁ ବିରୋଧରେ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ କରାଯାଇଛି । ଆଜି ଏହି ଟିକା ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଛନ୍ତି । ଆଜି ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଏମସ୍ ଠାରେ ପହଂଚି ଟିକା ନେଇଥିଲେ । ଟିକା ନେବା ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଟିକା ନେବାକୁ ଅନୁରୋଧ କରିଥିଲେ । ସେ ଟ୍ୱିଟ୍ କରି କହିଥିଲେ କି ‘ମୁଁ ଏମସ୍ ରୁ କରୋନା ଭ୍ୟାକସିନର ପ୍ରଥମ ଡୋଜ ନେଲି କରୋନା ମହାମାରୀ ବିରୋଧରେ ଏତେ ଶୀଘ୍ର ଆମର ଡାକ୍ତର ଓ ବୈଜ୍ଞାନିକ ମାନେ ଟିକା ପ୍ରସ୍ତୁତ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ’ ।