ଝାଡଖଣ୍ଡ ଧାନବାଦର ଅତିରିକ୍ତ ଜିଲ୍ଲା ଦୌରାଜଜ ହତ୍ୟା ମାମଲା : ନିଜ ଆଡୁ ବିଚାର ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ

121

କନକ ବ୍ୟୁରୋ : ଝାଡଖଣ୍ଡର ଧାନବାଦ ଅତିରିକ୍ତ ଜିଲ୍ଲା ଏବଂ ଦୌରାଜଜ୍ ଉତ୍ତମ ଆନନ୍ଦଙ୍କ ସନ୍ଦିଗ୍ଧ ହତ୍ୟା ମାମଲାକୁ ନିଜଆଡୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହ ତଦନ୍ତର ଅଗ୍ରଗତି ସମ୍ପର୍କରେ ଝାଡଖଣ୍ଡ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି । ଝାଡଖଣ୍ଡ ହାଇକୋର୍ଟ ମଧ୍ୟ ତଦନ୍ତର ଅନୁଧ୍ୟାନ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମଣା କହିଛନ୍ତି, ଗତ ବୁଧବାର ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି । ଜଣେ ଏଡିଜେଙ୍କୁ ଗୋଟିଏ ଅଟୋ ଧକ୍କା ଦେଇଛି । ଏହି ମାମଲାକୁ ଝାଡଖଣ୍ଡ ହାଇକୋର୍ଟ ମଧ୍ୟ ନିଜ ଆଡୁ ସଂଜ୍ଞାନକୁ ନେଇଛନ୍ତି । ଦେଶର ବିଚାରପତି ଓ ଆଇନଜୀବୀଙ୍କ ଜୀବନ ପ୍ରତି ଥିବା ବିପଦକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଉକ୍ତ ମାମଲାକୁ ନିଜ ଆଡୁ ସଂଜ୍ଞାନକୁ ନେଇଛନ୍ତି । ଝାଡଖଣ୍ଡ ହାଇକୋର୍ଟ ନିଜଆଡୁ ଉକ୍ତ ମାମଲାକୁ ସଂଜ୍ଞାନକୁ ନେଇଥିବା ଜାଣି ମଧ୍ୟ ସୁପ୍ରିମକୋର୍ଟ ସଂଜ୍ଞାନକୁ ନେଇଛନ୍ତି ବୋଲି କହିଛନ୍ତି । ଏହାସହ ହାଇକୋର୍ଟରେ ଚାଲିଥିବା ଏହି ମାମଲାର ବିଚାର ପ୍ରକ୍ରିୟାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରୁନାହାନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।

ଧାନବାଦରେ ଅଟୋ ମଡାଇ ବିଚାରପତିଙ୍କୁ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସିସିଟିଭି ଭିଜୁଆଲରେ ଦେଖିବାକୁ ମିଳିଛି ଯେ ବିଚାରପତି ଜଣକ ଏକ ଚଉଡା ରାସ୍ତାର ଗୋଟିଏ ପଟେ ଜଗିଂ କରୁଥିବା ବେଳେ ତାଙ୍କୁ ଏକ ଅଟୋ ପିଟିଦେଇ ଆଗକୁ ପଳାଇଛି । ଘଟଣାସ୍ଥଳରେ ବିଚାରପତି ରକ୍ତାକ୍ତ ଅବସ୍ଥାରେ ପଡିଯାଇଥିଲେ । ତାଙ୍କୁ ଡାକ୍ତରଖାନା ନେବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।