କନକ ବ୍ୟୁରୋ: ବାପାଙ୍କୁ ପୋଲିସ୍ ବାବୁ ମାରିଥିଲେ ଚାପୁଡା । ପ୍ରତିଶୋଧ ନେବାକୁ ପୁଅ ବନିଗଲା ଜଜ୍। ବିହାରର ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ବାପାଙ୍କୁ ପୋଲିସ ବାବୁ ମାରିଲେ ଶକ୍ତ ଚାପୁଡା । ଅସହାୟ ସାନ ପୁଅଟି ଚୁପଚାପ୍ ଦେଖୁଥିଲା । ଜବାବ୍ ଦବାକୁ ଇଚ୍ଛା ଥିଲେ ବି କିଛି କରିପାରୁନଥିଲା । ହେଲେ ମନରେ ପୋଲିସ ବାବୁଙ୍କୁ ପାନେ ଦେବାକୁ ସଂକଳ୍ପ କଲା । ଆଉ ଏହି ସଙ୍କଳ୍ପ ହିଁ ସେ ଦିନର ସାନ ପୁଅଟିକୁ ବନାଇଦେଲା ଜଜ୍ ।

Advertisment

ଏ କାହାଣୀ ହେଉଛି ବିହାରର ବାସିନ୍ଦା କମଲେଶ କୁମାରଙ୍କର । ରାସ୍ତା କଡରେ ଠେଲା ଗାଡିରେ ଜଳଖିଆ ବ୍ରକ୍ରି କରୁଥିବା ଗରୀବ ବାପାର ପୁଅ କମଲେଶ । ବିହାର ଜୁଡିସିଆରି ପରୀକ୍ଷାରେ ୬୪ତମ ସ୍ଥାନ ସଂରକ୍ଷଣ କରି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଆପଣ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି । କମଲେଶଙ୍କ ସଫଳତା ପଛର କାହାଣୀ ଏପରି ଯାହା ସାରା ଦେଶବାସୀଙ୍କ ମନକୁ ଛୁଇଁଛି ।

ବିହାରର ଏକ ନିପଟ ଗାଁର ବାସିନ୍ଦା କମଲେଶ । ବାପା ତାଙ୍କର ଖୁବ୍ କମ୍ ବୟସରୁ ସଂଘର୍ଷ କରିଛନ୍ତି । ୯ ଭାଇଭଉଣୀଙ୍କ ପେଟକୁ ଦାନା ଦେବାକୁ ପିଲାବେଳୁ କମଲେଶଙ୍କ ବାପା ଆସିଥିଲେ ଚକାଚକ୍ ଦିଲ୍ଲୀ ସହରକୁ । ଏକ ଝୁପୁଡି ଘରେ ରହି ପ୍ରଥମେ କୁଲି କାମ କଲେ । ଆଉ କିଛି ଦିନ ଅଟୋ ଭଡାରେ ଆଣି ଚଳାଇଲେ । ଏହାପରେ ଏକ ଠେଲାଗାଡିରେ ଛୋଲେ ଭଟୋରେ ବିକ୍ରି କଲେ ।

ପୁଅ କମଲେଶ ସେତବେଳକୁ ସ୍କୁଲରେ ପଢୁଥାଏ । ପାଠପଠା ପରେ ବାପାଙ୍କ ଠେଲାଗାଡିକୁ ଆସି ବ୍ୟବସାୟରେ ସାହାଯ୍ୟ କରୁଥାଏ । ଦିନେ ବେପାର ସମୟରେ କିଛି ପୋଲିସ ଆସି ସେଠାରୁ ଠେଲାଗାଡି ଉଠାଇବାକୁ କହିଥିଲେ । ବାପା ଅନୁରୋଧ କରିବାକୁ ତାଙ୍କୁ ଶକ୍ତ ଚାପୁଡା ମାରିଥିଲେ ପୋଲିସ ବାବୁ । ବାପାଙ୍କ ଏଭଳି ଅପମାନ ଦେଖି କାନ୍ଦିଥିଲେ କମଳେଶ । ହେଲେ କିଛି ବି କରିପାରିନଥିଲେ । ହେଲେ କେମିତି ଏ ପୋଲିସ ବାବୁଙ୍କୁ ପାନେ ଦେବେ , ତାଙ୍କ ମନରେ ଅହରହ ଜଳୁଥିଲା ପ୍ରତିଶୋଧର ନିଆଁ । ଦିନେ ଘରେ କଥା ହେଉଥିବାବେଳେ ବାପା କହିଲେ ପୋଲିସ କେବଳ ଜଜଙ୍କୁ ଡରନ୍ତି । ବାସ୍ ଏଇ ପଦେ କଥା କମଲେଶଙ୍କ ଜୀବନରେ ଆଣିଥିଲା ଟର୍ଣ୍ଣିଙ୍ଗ ପଏଣ୍ଟ । ସେଇଠୁ ସେ ସଙ୍କଳ୍ପ ନେଲେ ଜଜ୍ ହେବେ ପୋଲିସ ବାବୁଙ୍କୁ ବୁଦ୍ଧି ଶିଖାଇବେ ।

ବସ୍ତିର ସରକାରୀ ସ୍କୁଲରୁ ପାଠପଢା ଶେଷ ପରେ ସରକାରୀ କଲେଜରେ ପାଠପଢା ଆଉ ତା ପରେ ଦିଲ୍ଲୀ ଲ ୟୁନିଭର୍ସିଟିରେ ଆଇନ ପାଠ ପଢିଲେ କମଲେଶ । ୟା ଭିତରେ ଭଲ ଭାବରେ ଇଂରାଜୀ ଭାଷା ଉପରେ ଦକ୍ଷତା ହାସଲ କଲେ । ୨୦୧୭ରେ ପ୍ରଥମେ ୟୁପି ଜୁଡିସିଆରୀ ପରୀକ୍ଷାରେ ବିଫଳ ହେବାପରେ ବିହାର ଜୁଡିସିଆରୀ ପରୀକ୍ଷା ଦେଲେ । ଦୁଇଟି ଚେଷ୍ଟାରେ ବିଫଳ ହେଲେ । ତଥାପି ହାର ମାନନିଥିଲେ , ଜଜ୍ ହେବାର ସ୍ୱପ୍ନ ତାଙ୍କ ଆଖରୁ ନିଦ ହଜେଇଦେଇଥିଲା । କରୋନା ସମୟରେ ବାପାଙ୍କ ବ୍ୟବସାୟ ବନ୍ଦ ସମୟରେ ବି ଅତି କଷ୍ଟରେ ଜୁଡିସିଆରୀ ପରୀକ୍ଷା ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଲେ । ଶେଷରେ ୨୦୨୨ରେ ଭାଗ୍ୟ ତାଙ୍କ ପରିଶ୍ରମ ଆଗରେ ହାର ମାନିଲା । ବିହାର ଜୁଡିସିଆର ପରୀକ୍ଷାରେ ୬୪ତମ ରାଙ୍କ ରଖି ସଫଳ ହେଲେ କମଲେଶ କୁମାର ।

କମଲେଶ କୁହନ୍ତି, ପ୍ରଥମେ ରେଜଲ୍ଟ ଲିଷ୍ଟରେ ନିଜ ନାଁ ପାଇନଥିଲେ । ହତାଶ ହୋଇ ବସିପଡିଥିଲେ । ସେତିକି ବେଳେ ତାଙ୍କ ସାଙ୍ଗ ଫୋନ କରି ତାଙ୍କୁ ରେଜଲ୍ଟ ଖବର ଦେଇଥିଲେ । ନିଜକୁ ରୋକିପାରିନଥିଲେ କମଲେଶ । ଭୋ ଭୋ ହୋଇ କାନ୍ଦିଥିଲେ । ବହୁ ଯନ୍ତ୍ରଣାରେ ଦିନ କାଟିଥିବା ବାପା, ମା’ ବି କାନ୍ଦିଥିଲେ । ଏବେ କମଲେଶଙ୍କ ଏହି ସଂଘର୍ଷ ସାରା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ।