କନକ ବ୍ୟୁରୋ : ଆସନ୍ତା ନିର୍ବାଚନରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ବିଧାନସଭା ନା ଲୋକସଭା ଆସନରୁ ପ୍ରାର୍ଥୀ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୪ରେ ଜୁଏଲ ବିଧାନସଭା ନିର୍ବାଚନ ଲଢିବେ ବୋଲି ରାଉରକେଲାରେ ହୋଇଥିବା ଚିନ୍ତନ ଶିବିରରେ ବିଚାରବିମର୍ଷ ହୋଇଥିବା ନେଇ ବିଭିନ୍ନ ଶୁଣିବାକୁ ମିଳୁଛି । ତେବେ ଏଭଳି ଚର୍ଚ୍ଚା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଖୋଦ୍ ଜୁଏଲ ଓରାମ ।

Advertisment

ଜୁଏଲ କହିଛନ୍ତି, ମୁଁ ସାଂସଦ ଭାବେ ଲଢିବାକୁ ଚାହୁଁଛି । ଶେଷଥର ପାଇଁ ନିର୍ବାଚନ ଲଢିବାକୁ ଚାହୁଁଥିବା ନେଇ ଦଳୀୟ ନେତାଙ୍କୁ ଅବଗତ କରିଛି । ମୁଁ ବିଧାୟକ ନା ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି ତାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ । ଦଳର ନିଷ୍ପତ୍ତି ଅନୁସାରେ ଆମେ ଯାଉ । ଯଦି କେନ୍ଦ୍ର ନେତୃତ୍ୱ ମୋତେ ବିଧାନସଭା ଲଢିବାକୁ କହିବେ ତେବେ ସେ ବାବଦରେ ପରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ଜୁଏଲ । କିନ୍ତୁ ଏବେ ସୁଦ୍ଧା ସୁନ୍ଦରଗଡରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ଉପରେ ଜୋର ଦେଇଛନ୍ତି ଜୁଏଲ ।

ଜୁଏଲଙ୍କୁ ବିଧାନସଭା ନିର୍ବାଚନ ଲଢାଇବା ପାଇଁ ହେଉଥିବା ଚର୍ଚ୍ଚା ପଛରେ ବଡ କାରଣ ମଧ୍ୟ ରହିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନରେ ବିଜେପିର ବିଜୟ ପରେ ସେହି ଢାଞ୍ଚା ଓଡ଼ିଶାରେ ଆପଣେଇବାକୁ ଚାହୁଁଛି ଦଳ । ଶୁଣାଯାଉଛି ରାଜ୍ୟରେ ୫୦ ପ୍ରତିଶତ ସାଂସଦ ଟିକେଟ୍ କଟିପାରେ । ଏଥିପାଇଁ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ବିଧାନସଭା ପାଇଁ ମଇଦାନକୁ ଛଡାଯାଇପାରେ । ଏହା ବି ଶୁଣାଯାଉଛି ଯେ, ଦଳ ଜୁଏଲ ଓରାମଙ୍କୁ ବଣାଇ ବିଧାନସଭାରେ ଛିଡା କରିବାକୁ ଚାହୁଁଛି । ଯଦି ଜୁଏଲ ଓରାମ ବିଧାନନସଭା ନିର୍ବାଚନ ଲଢନ୍ତି, ତେବେ ଲୋକସଭା ନିର୍ବାଚନ ଲଢିବ କିଏ? ଗତ ୨୦୧୯ ନିର୍ବାଚନରେ ସେ ରେକର୍ଡ ୨ ଲକ୍ଷ ୨୩ ହଜାର ଭୋଟ୍ ବ୍ୟବଧାନରେ ଜିତିଥିଲେ । ୧୯୮୯ ମସିହାରେ ରାଜନୀତିରେ ପ୍ରବେଶ କରିବା ପରେ ବିଜେପି ଟିକେଟରୁ ସେ ଦୁଇ ଥର ବଣାଇ ବିଧାୟକ ହୋଇଛନ୍ତି । ଏହା ପରେ ୧୯୯୮ ମସିହାରେ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଥିଲା ଦଳ ।