ସୁନ୍ଦରଗଡରେ ହେବ ବଡ ଲଢ଼େଇ । ଦିଲ୍ଲୀପ ତିର୍କୀ ବନାମ ଜୁଏଲ ଓରାମ୍ । ସୁନ୍ଦରଗଡରୁ କିଏ ଯିବେ ସଂସଦ?

194

କନକ ବ୍ୟୁରୋ: ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଜୁଏଲ ଓରାମ ଓ ଦିଲ୍ଲୀପ ତିର୍କୀ ପୁଣି ଥରେ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି । ଜୁଏଲଙ୍କ ଉପରେ ପୁଣି ଥରେ ବିଜେପିର ଶୀର୍ଷ ନେତୃତ୍ୱ ଭରସା କରିବା ପରେ, ସେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଉ ଶେଷ ନିର୍ବାଚନ କହି ଭୋଟ ମାଗିଛନ୍ତି । ଅନ୍ୟପଟେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କର୍ମୀ ସମ୍ମିଳନୀ କରିବା ସହ ଭୋଟରଙ୍କ ପାଖରେ ପହଁଚିଛନ୍ତି ।

ସୁନ୍ଦରଗଡ ଲୋକସଭା ଆସନକୁ ଜୁଏଲଙ୍କ ଗଡ ବୋଲି କୁହାଯାଏ । କେବଳ ୨୦୦୯ ନିର୍ବାଚନକୁ ଛାଡି ୧୯୯୮ପରଠାରୁ ସୁନ୍ଦରଗଡ ଲୋକସଭା ଆସନରୁ ବାରମ୍ବାର ବିଜୟୀ ହୋଇ ଆସୁଛନ୍ତି । କିନ୍ତୁ ୨୦୧୪ରେ ଜୁଏଲଙ୍କ ବିରୋଧରେ ମଇଦାନକୁ ଓହ୍ଲାଇ କଡା ଟକ୍କର ଦେଇଥିଲେ ଦିଲ୍ଲୀପ । ହେଲେ, ୨୦୧୯ ବେଳକୁ ପୁଣି ବଦଳିଯାଇଥିଲା ଚିତ୍ର । ଜୁଏଲ, ୨ଲକ୍ଷ ୨୩ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ଆଉ ଏବେ ପୁଣି ଦୁହେଁ ମଇଦାନକୁ ଓହ୍ଲାଇଥିବାରୁ ବଡ ଲଢ଼େଇ ହେବ ବୋଲି କହିଛନ୍ତି, ରାଜନୀତି ସମୀକ୍ଷକ ।

ତେବେ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ବି ଦଳ ଜଣେ ଭଲ ଆଦିବାସୀ ନେତାଙ୍କୁ ମଇଦାନକୁ ଓହ୍ଲାଇବ ଓ ତ୍ରିମୁଖୀ ଲଢ଼େଇ ହେବ ବୋଲି କହିଛନ୍ତି ଦଳୀୟ ନେତା । ତେବେ ସୁନ୍ଦରଗଡ ଲୋକସଭା ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ । ୭ଟି ବିଧାନସଭା ଆସନ ସୁନ୍ଦରଗଡ, ତଳସରା, ରାଜଗାଙ୍ଗପୁର, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା ଓ ବଣାଇ କୁ ନେଇ ଗଠିତ ଏହି ଲୋକସଭା କ୍ଷେତ୍ର । ପ୍ରତିଥର ଏହି ନିର୍ବାଚନମଣ୍ଡଳୀରେ ଜୋରଦାର ଲଢ଼େଇ ହୋଇଥାଏ । ଆଉ ଏଥର ଆହୁରି ଅଧିକ ହେବ ।