ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନେତା ଭରୁଛନ୍ତି ନାମାଙ୍କନ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ମନ୍ଦିରରେ ନେତାଙ୍କ ପୂଜାର୍ଚ୍ଚନା

ସୁନ୍ଦରଗଡରୁ ପ୍ରାର୍ଥୀ ପତ୍ର ଦାଖଲ ପୂର୍ବରୁ ମନ୍ଦିରରେ ଜୁଏଲ ଓ ଓ ପ୍ରଫୁଲ ମାଝୀଙ୍କ ପୂଜାର୍ଚ୍ଚନା, ସେପଟେ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

144

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷଦିନରେ ନାମାଙ୍କନ ଭରୁଛନ୍ତି ନେତା । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ହେଉଛି ଶେଷ ଦିନ । ତେବେ ନାମାଙ୍କନ ଦାଖଲ ପୂର୍ବରୁ ମନ୍ଦିରରେ ଯାଇ ନେତାମାନେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।

ସୁନ୍ଦରଗଡରେ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ତଲସରା ବିଧାନସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପ୍ରଫୁଲ ମାଝୀ ପୂଜାର୍ଚ୍ଚନା କରିଛନ୍ତି । ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ରହିଛି ବରଗଡ, ବଲାଙ୍ଗୀର, କନ୍ଧମାଳ, ସୁନ୍ଦରଗଡ ଓ ଆସିକା ଲୋକସଭା ଓ ଏହିସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ।

ସେପଟେ, ବିଜେପରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସନତ ଗଡତିଆଙ୍କୁ ବିଜେପି କେନ୍ଦ୍ରିୟ ନିର୍ବାଚନ କମିଟି ଏହି ଘୋଷଣା କରିଛି । ସନତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସର ରିପୁନାଥ ସେଠଙ୍କ ସହ ନିବାର୍ଚନ ଲଢ଼ିବେ । ବିଜେପୁର ଉପନିର୍ବାଚନ ପୂର୍ବରୁ ସନତ ତାଙ୍କ ସମର୍ଥକଙ୍କ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ତେବେ ବିଜେପୁର ନିର୍ବାଚନ ମଣ୍ଡଳୀ ତିନି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବା ସ୍ପଷ୍ଟ ହୋଇଛି ଚିତ୍ର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ମଇଦାନରେ ଟକର ଦେବେ ବିଜେପିର ସନତ ଗଡତିଆ ଓ କଂଗ୍ରେସର ରିପୁନାଥ ସେଠ୍ ।

ପଶ୍ଚିମଓଡିଶାର ଏହି ଆସନରୁ ମୁଖ୍ୟମନ୍ତ୍ରୀ ଲଢ଼ୁଥିବାରୁ ଏହା ଉପରେ ସାରା ରାଜ୍ୟର ନଜର ରହିଛି । ଅନ୍ୟପଟେ ବିଜେପି ଉପନିର୍ବାଚନରେ ଦେଇଥିବା ପ୍ରାର୍ଥୀଙ୍କୁ ପୁଣି ପରିବର୍ତନ କରିଛି । ବିଜେଡିର ପୂର୍ବତନ ଭେଟେରାନ ନେତା ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ସେହିପରି କଂଗ୍ରେସର ପୂର୍ବତନ ବିଧାୟକ ରିପୁନାଥ ସେଠଙ୍କ ପାଇଁ ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିବାକୁ ଭରପୁର ସୁଯୋଗ ରହିଛି ।